ମାସ୍କ ନପିନ୍ଧିଲେ-ସାମାଜିକ ଦୂରତା ନମାନିଲେ ଲକ୍ଷେ ଟଙ୍କା ଜୋରିମାନା

ଭୁବନେଶ୍ୱର: ମାସ୍କ ନପିନ୍ଧିଲେ ଲକ୍ଷେ ଟଙ୍କା ଜୋରିମାନା । ସାମାଜିକ ଦୂରତା ନମାନିଲେ ଲକ୍ଷେ ଟଙ୍କା ଜୋରିମାନା । ଖାଲି ସେତିକି ନୁହେଁ ଦୁଇ ବର୍ଷ ଜେଲ୍‌ ଦଣ୍ତର ମଧ୍ୟ ବ୍ୟବସ୍ଥା କରାଯାଇଛି । କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ, ରାଜ୍ୟ ବିଧାନସଭାରେ ଏନେଇ ନୂଆ ନିୟମ କରାଯାଇଛି ।

ବିଧାନସଭାରେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ ୨୦୨୦ ଗୃହୀତ ହୋଇଛି । କୋଭିଡ୍‌ କଟକଣା ସତ୍ତ୍ୱେ ଲୋକ ଆଇନ ମାନୁନାହାନ୍ତି । ତେଣୁ ସଂଶୋଧିତ ଆଇନରେ କଡ଼ା କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା କରାଯାଇଛି । ମାସ୍କ ନପିନ୍ଧିଲେ ଓ ସମାଜିକ ଦୂରତା ନିୟମ ଉଲ୍ଲଂଘନ କଲେ ୨ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ସହ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଧାର୍ଯ୍ୟ କରାଯାଇଛି ।

ତେବେ ଏହି ବିଲ୍‌କୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ବିରୋଧ କରିଥିଲେ । ତାରା ଏହାକୁ କିଳାବିଲ୍‌ କହିଥିଲେ । କମିଟି ଗଠନ କରି କୋଭିଡ୍‌ ସେବା ନେଇ ତଦନ୍ତ କଲେ ବିଲ୍‌କୁ ସମର୍ଥନ କରିବେ ବୋଲି କହିଥିଲେ । ନ୍ୟାୟାଳୟ ଫିସ୍‌ ସଂଶୋଧନ ବିଲ ୨୦୨୦ ନେଇ ମଧ୍ୟ ଆଜି ଗୃହରେ ଆଲୋଚନା ଆରମ୍ଭ ହୋଇଛି । ତେବେ କିଛି ସମୟ ଆଲୋଚନା ପରେ ଗୃହକୁ ଶୁକ୍ରବାର ପୂର୍ବାହ୍ନ ସାଢେ ୧୦ଟା ଯାଏଁ ବାଚସ୍ପତି ମୁଲତବି ରଖିଛନ୍ତି ।

Leave a Reply