ସଂକ୍ରମଣକୁ ଚେକ୍ ଦେବାକୁ ୪ ଜିଲ୍ଲା ସମେତ ରାଉରକେଲା ସହରରେ ତାଲାବନ୍ଦ

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଲକଡାଉନ୍ । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟର ୪ ଜିଲ୍ଲା ଓ ଗୋଟିଏ ପୌରାଞ୍ଚଳରେ ଆଜିଠୁ ଲକଡାଉନ୍ କଟକଣା ଜାରି କରାଯାଉଛି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ମହାନଗର ନିଗମରେ ତାଲାବନ୍ଦ ଘୋଷଣା କରାଯାଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ୪ ଜିଲ୍ଲାରୁ ଜୁଲାଇ ୧୬ ତାରିଖ ସୁଦ୍ଧା ୮ ହଜାର ୫୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୪ ଜିଲ୍ଲାରେ ୨ ହଜାର ୮୪୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଏଥିସହ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ୭୫୦ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ରାଉରକେଲା ପୌରାଞ୍ଚଳର ।

୪ ଜିଲ୍ଲା ଓ ରାଉରକେଲା ପୌରାଞ୍ଚଳରେ ବଢ଼ୁଥିବା ସଂକ୍ରମଣକୁ ରୋକିବାକୁ ଆଜି ରାତି ୯ଟାରୁ ଲକଡାଉନ୍ ଲାଗୁ ହେଉଛି । ଲକଡାଉନ୍ କଟକଣା ଜୁଲାଇ ୩୧ ଯାଏଁ ବଳବତ୍ତର ରହିବ । ଏହି ସମୟରେ ଲୋକ ସ୍ଥାନୀୟ ଅଞ୍ଚଳରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିପାରିବେ । ଦୂରକୁ ଯାଇ କିଣିବା ମନା । ପନିପରିବା, କ୍ଷୀର ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ମିଳିବ । କୌଣସି କାମ ନଥିଲେ ଏହି ୪ ଜିଲ୍ଲାକୁ କେହି ନଆସିବାକୁ କୁହାଯାଇଛି । ଏହି ସମୟରେ ପ୍ରଶାସନ ଟେଷ୍ଟିଂକୁ ତ୍ୱରାନ୍ୱିତ କରିବ । ଆଜି ରାତି ୯ଟାରୁ ଏହି କଟକଣା ଲାଗୁ ହେବ ।

କୋଭିଡ୍ କାର୍ଯ୍ୟରେ ନିୟୋଜିତ କର୍ମଚାରୀ, ମେଡିକାଲ ଷ୍ଟାଫ୍, ଗଣମାଧ୍ୟମ ଉପରେ କଟକଣା ରହିବ ନାହିଁ । ଏହି ସମୟରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ଆରବିଆଇ ଅନୁମୋଦିତ ଆର୍ଥିକ ସଂସ୍ଥା ଓ ଏଟିଏମ୍ କାର୍ଯ୍ୟକ୍ଷମ ରହିବ । ମେଡିକାଲ ଓ ଔଷଧ ଦୋକାନ ମଧ୍ୟ ଖୋଲା ରହିବ । ଲକଡାଉନ୍ ସହ ପୂର୍ବଭଳି ସାପ୍ତାହିକ ସଟଡାଉନ୍ ମଧ୍ୟ ଜାରି ରହିବ । ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଭାବେ ଦୋକାନ ବଜାର ବନ୍ଦ ରହିବ । କୃଷି, ଶିଳ୍ପ ଓ ନିର୍ମାଣ କାମ ଜାରି ରହିବ । ସ୍ୱିଗି ଓ ଜମାଟୋ ଭଳି ଖାଦ୍ୟ ଯୋଗାଣକାରୀ ସଂସ୍ଥା କାର୍ଯ୍ୟ କରିପାରିବେ ।

Leave a Reply