ମୁଣ୍ଡ-ଗଣ୍ଡି-ହାତ ଅଲଗା କରି ଫିଙ୍ଗିଦେଲେ ପୋଖରୀରେ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭବାନୀପୁର ଅଞ୍ଚଳର ଏକ ପୋଖରୀରୁ ମୃତଦେହ ଉଦ୍ଧାର । ମୃତ ଦେହରେ ମୁଣ୍ଡ ନଥିବା ବେଳେ ଦୁଇଟି ହାତ ମଧ୍ୟ ନଥିଲା । କିଛି ସମୟ ପରେ ଗୋଟିଏ ହାତ ଉଦ୍ଧାର କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ ମୁଣ୍ଡ ଏବଂ ଆଉ ଗୋଟିଏ ହାତ ସେହି ପୋଖରୀରେ ହିଁ ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି । ତେଣୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ପ୍ରଥମେ ମୁଣ୍ଡ ହୀନ ଶରୀର ଓ ଗୋଟିଏ ହାତ ଆଗ୍ନିଶମ ହାତରେ ଲାଗିଥିଲା । ପୂର୍ବ ଶତ୍ରୁତା କାରଣରୁ ଏଭଳି ବିଭତ୍ସ ହତ୍ୟା କରାଯାଇଥିବ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ମୃତକ ଜଣକ ଭବାନୀପୁର ଅଞ୍ଚଳର ହୋଇଥିବା ସନ୍ଦେହ କରାଯାଉଛି । କଟା ମୁଣ୍ଡ ଉଦ୍ଧାର ହେଵା ପରେ ତାର ପରିଚୟ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି ।

ସେହିଭଳି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର କେ ବଲାଙ୍ଗ ଥାନା ଅନ୍ତର୍ଗତ ମହିଷଛାପଲ ଗ୍ରାମ ସଂଲଗ୍ନ ଏକ ଚାଷ ଜମିରୁ ଜଣେ ବ୍ୟକ୍ତିର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ସେହି ଗ୍ରାମର ବିଜୟ ଓରାମ୍ (୨୭) । ଗୁରୁବାର ସନ୍ଧ୍ୟାରେ ଏହି ମୃତଦେହ ଉଦ୍ଧାର ହୋଇଛି ।

ଦୁଇଦିନ ହେବ ଗ୍ରାମରେ ତାଙ୍କୁ କେହି ଦେଖିନଥିବା ନେଇ ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବା ପରେ ପରିବାର ଲୋକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ପାରିବାରିକ କଳହ ହତ୍ୟାକାଣ୍ଡର କାରଣ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ରାଉରକେଲାରୁ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ଲୋଡିଛି ।

Leave a Reply