ପ୍ରଭାବଶାଳୀ ହେଉଛି ଟିକା କୂଟନୀତି: ଧାଡ଼ିରେ ଅଛନ୍ତି ୨୫ ଦେଶ

1 min read

ନୂଆଦିଲ୍ଲୀ: ଭାରତର ଟିକା କୂଟନୀତି ଦିନକୁ ଦିନ ପ୍ରଭାବଶାଳୀ ହେବାରେ ଲାଗିଛି। ଶସ୍ତା ଓ ଭରସାଯୋଗ୍ୟ ଟିକା ପ୍ରସ୍ତୁତ କରୁଥିବାରୁ ଏଥିପାଇଁ ଦେଶମାନଙ୍କ ଆଗ୍ରହ ବଢ଼ୁଛି। ଏବେ ଭାରତ ପ୍ରାୟ ୧୫ଟି ଦେଶକୁ ଟିକା ଯୋଗାଉଥିବା ବେଳେ ଆହୁରି ୨୫ଟି ଦେଶ କୋଭିଡ୍-୧୯ ପ୍ରତିରୋଧକ ଟିକା ନେବାକୁ ଧାଡ଼ିରେ ଅପେକ୍ଷା କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣର ଆତଙ୍କ ଆସିବା ଦିନଠାରୁ ଭାରତ ନିଜକୁ ସୁରକ୍ଷିତ ରଖିବା ତଥା ପଡ଼ୋଶୀ ଦେଶମାନଙ୍କୁ ସହାୟତାର ହାତ ବଢ଼ାଇ ଆସିଛି। ଏପରିକି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ୍ ଭଳି ଦେଶକୁ ମଧ୍ୟ ହାଇଡ୍ରୋ କ୍ଲୋରୋକ୍ବିନ୍ ବଟିକା ଯୋଗାଇ ବିଶ୍ବାସୀଙ୍କ ହୃଦୟରେ ସ୍ଥାନ ଅକ୍ତିଆର କରିଛି। ଏବେ ଯେତେବେଳେ ବିକଶିତ ଦେଶଗୁଡ଼ିକ ନିଜ ଦେଶ ଦ୍ବାରା ପ୍ରସ୍ତୁତ ଟିକାକୁ ନେଇ ବିଶ୍ବ ବଜାରକୁ ଆସିଛନ୍ତି, ସେତେବେଳେ ଭାରତ ମଧ୍ୟ ନିଜ ଜ୍ଞାନ କୌଶଳ ଓ ବୈଜ୍ଞାନିକଙ୍କ ଦ୍ବାରା ପ୍ରସ୍ତୁତ ଟିକା ନେଇ ବିଶ୍ବବାସୀଙ୍କ ଧ୍ୟାନ ଆକର୍ଷଣ କରିଛି । ଖାଲି ସେତିକି ନୁହେଁ ଭାରତ ତିଆରି ଟିକା ଶସ୍ତା ଓ ଭରସା ଯୋଗ୍ୟ ହୋଇଥିବାରୁ ତାହା ଅନେକ ଦେଶଙ୍କୁ ଆକୃଷ୍ଟ କରିଛି । କାରଣ ଏହି ମୁହୂର୍ତ୍ତରେ ଗଣ ଟିକାକରଣ ସମସ୍ତ ଦେଶ ପାଇଁ ଆହ୍ବାନ ହୋଇଛି।

ଏ ଭିତରେ ଭାରତ ପକ୍ଷରୁ ନିଜ ନାଗରିକଙ୍କୁ ଟିକାଦେବା ଅଭିଯାନ ଆରମ୍ଭ ହୋଇଛି। ଦ୍ବିତ୍ୱୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ଫେବୃୟାରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସରକାର ପ୍ରସ୍ତୁତ ହେଲେଣି। ସେହିପରି ପଡ଼ୋଶୀ ଦେଶମାନଙ୍କୁ ମଧ୍ୟ ମାଗଣାରେ ଟିକା ଦେଇ ନିଜର ବୈଦେଶିକ ସମ୍ପର୍କକୁ ସୁଦୃଢ଼ କରିଛି ଭାରତ।

 

ଶ୍ରୀ ଜୟଶଙ୍କରଙ୍କ କହିବା ଅନୁସାରେ ଭାରତ ତିନୋଟି ଢାଞ୍ଚାରେ ବିଦେଶକୁ ଟିକା ରପ୍ତାନୀ କରୁଛି। ଗୋଟିଏ ବର୍ଗ ହେଉଛି ସେହି ରାଷ୍ଟ୍ର ଯେଉଁମାନଙ୍କ ଅର୍ଥନୀତି ସୁଦୃଢ଼ ନୁହେଁ ତଥା ଗରିବ ଦେଶ ଭାବେ ପରିଚିତ ସେମାନଙ୍କୁ ମାଗଣାରେ ଟିକା ଯୋଗାଉଛି। ଦ୍ବିତୀୟ ବର୍ଗରେ ଭାରତୀୟ କମ୍ପାନୀମାନଙ୍କଠାରୁ ସମ୍ପୃକ୍ତ ରାଷ୍ଟ୍ରମାନେ ଟିକା କିଣୁଛନ୍ତି। ଏହି ବର୍ଗରେ ସିଧାସଳଖ କମ୍ପାନୀଙ୍କଠାରୁ ଟିକା କିଣୁଛନ୍ତି ବିଭିନ୍ନ ଦେଶ। ଆଉ ତୃତୀୟ ପ୍ରକାର ଦେଶମାନେ ହେଉଛନ୍ତି ସବସିଡି ଦରରେ ଟିକା ନେଉଥିବା ରାଷ୍ଟ୍ର। ଏହି ବର୍ଗରେ ଭାରତ ସରକାର ଯେତିକି ଟଙ୍କା ଦେଇ ଟିକା କିଣୁଛନ୍ତି ସେହି ଟଙ୍କାକୁ ପ୍ରଦାନ କରୁଛନ୍ତି ସମ୍ପୃକ୍ତ ବର୍ଗର ରାଷ୍ଟ୍ରମାନେ।

ଏ ଭିତରେ ଭାରତରେ ଦୁଇଟି ଟିକା ଉପଲବ୍ଧ ହୋଇଛି। ଜାନୁୟାରୀ ୧୬ ତାରିଖରୁ ଏହି ଦୁଇଟି ଟିକା ଜରୁରୀକାଳୀନ ଭିତ୍ତିରେ ଲୋକଙ୍କୁ ଦିଆଯିବା ଲାଗି ଅନୁମତି ପାଇଛି। ଏଥିରେ ସାମିଲ୍ ରହିଛି ଭାରତୀୟ କମ୍ପାନୀ ଓ ଜ୍ଞାନ କୌଶଳରେ ତିଆରି ଭାରତ ବାୟୋଟେକର କୋଭାକ୍ସିନ୍ ଏବଂ ଅକ୍ସଫେର୍ଡ ଜ୍ଞାନ କୌଶଳରେ ଭାରତୀୟ କମ୍ପାନୀ ସିରମ୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ତିଆରି ହୋଇଥିବା କୋଭିସିଲ୍ଡ । ଆଉ ଏକ ଟିକା ଡ. ରେଡ୍ଡୀ ଫର୍ମାସୀ ଦ୍ବାରା ପ୍ରସ୍ତୁତ ହୋଇ ଅନୁମତି ଅପେକ୍ଷାରେ ରହିଛି। ଏହା ଋଷ ଦ୍ବାରା ନିର୍ମିତ ସ୍ପୁଟନିକ -୫ ଟିକା। ଟିକା ନିର୍ମାଣରେ ସଫଳତା ଏବଂ ପୃଥିବୀର ବିଭିନ୍ନ ଦେଶକୁ ଟିକା ଯୋଗାଇବା ନୀତି ଏବେ ଭାରତକୁ ବିଶ୍ବର ଫାର୍ମାସୀ ଭାବେ ଗଢ଼ିବାକୁ ଯାଉଛି ।

Leave a Reply