ରାଜଧାନୀରେ ଫୁଟିଲା ବୋମା, ପ୍ରଚଣ୍ଡ ଶବ୍ଦରେ କଂପିଲା କଟକ ରୋଡ୍‌

BBSR BOMB ATTACK

ଭୁବନେଶ୍ୱର: ରାଜଧାନୀରେ ଫୁଟିଲା ବୋମା । ବୋମାର ପ୍ରଚଣ୍ଡ ଶବ୍ଦରେ କଂପିଲା କଟକ ରୋଡ । କଳ୍ପନା ଛକ ନିକଟ କଟକ ରୋଡରେ ଦୁଇଟି ସ୍ଥାନରେ ବୋମାମାଡ଼ । ସ୍ଥାନୀୟ ଲୋକେ ଆତଙ୍କିତ । ଶନିବାର ରାତିରେ ଏହି ବୋମା ମାଡ଼ ହୋଇଥିଲା । ବିସ୍ଫୋରଣ ଶବ୍ଦରେ ସମସ୍ତଙ୍କ ଛାତି ଥରି ଉଠିଲା । ମନରେ ଛନକା ପଶିଥିଲା । କଳ୍ପନା ଛକରୁ ଲକ୍ଷ୍ମୀସାଗର ରାସ୍ତାରେ ଥିବା ଏକ ବାର୍‌ ସମ୍ମୁଖରେ ଦୁଇଟି ବୋମା ମାଡ଼ ହୋଇଥିଲା । ଗୋଟିଏ ବୋମା ଫୁଟିଥିବା ବେଳେ ଅନ୍ୟଟି ଅଫୁଟା ରହିଥିଲା ।

ବୋମା ମାଡ଼ର ପ୍ରଚଣ୍ଡ ଶବ୍ଦ ଶୁଣି ରାସ୍ତାରେ ଯାଉଥିବା ଲୋକେ ଗାଡ଼ି ଅଟକାଇ ଦେଇଥିଲେ । ରାସ୍ତା ମଝିରେ ବୋମା ପଡ଼ିଥିବାରୁ ସମସ୍ତଙ୍କ ମନରେ ରହିଥିଲା ଅଜଣା ଭୟ । କାଳେ ପୁଣି ଫୁଟିବ କି ବୋମା ।  ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପିସିଆର୍‌ ଭ୍ୟାନ୍‌ରୁ ପୋଲିସ ଅଧିକାରୀମାନେ ବାହାରି ଅଫୁଟା ବୋମାକୁ ଜବତ କରିଥିଲେ । ସ୍ଥାନୀୟ ଲୋକ ମଧ୍ୟ ଏଥିରେ ତାଙ୍କୁ ସହଯୋଗ କରିଥିଲେ । ପ୍ରଥମେ ଅଫୁଟା ବୋମା ଉପରେ ପାଣି ଢ଼ାଳି ପୋଲିସ ତାକୁ ନିଷ୍କ୍ରିୟ କରିଥିଲା ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ଜଣେ ଦୁର୍ବୃତ୍ତ ଏକ ବାଇକ୍‌ରେ ଯାଉଥିବା ବେଳେ ବୋମା ଖସିପଡ଼ିଥିଲା । ଗୋଟିଏ ଫୁଟିଥିବା ବେଳେ ଅନ୍ୟଟି ଅଫୁଟା ରହିଥିଲା ।ତେବେ ଏହି ଘଟଣା ନେଇ ପୋଲିସର ତଦନ୍ତ ଚାଲିଛି । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇପାରେ ବୋଲିସ ପୋଲିସ ପାଖରୁ ସୂଚନା ମିଳିଛି ।

Leave a Reply