ଘନଉଛି ସୀମା ବିବାଦ ! ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ଆନ୍ଧ୍ର..

ଭୁବନେଶ୍ୱର: ଆନ୍ଧ୍ର ସରକାରଙ୍କ ପରେ ଆନ୍ଧ୍ର ଲୋକଙ୍କ ଦାଦାଗିରି । କୋରାପୁଟରେ କୋଟିଆ ଅକ୍ତିଆର କରିବାକୁ ଆନ୍ଧ୍ର ସରକାର ପ୍ରୟାସ କରିଥିବା ବେଳେ ଏବେ ପଟ୍ଟାଙ୍ଗୀରେ ଜଙ୍ଗଲ ଜମିକୁ ଆନ୍ଧ୍ରର କିଛି ଲୋକ ମାଡ଼ି ବସିଛନ୍ତି । କୋରାପୁଟ ଜିଲ୍ଲା ପ୍ରଶାସନ ସୀମା ଚିହ୍ନଟ କରିଥିଲା । ହେଲେ ଆନ୍ଧ୍ର ଲୋକ ମାନୁ ନାହାନ୍ତି । ଏପରିକି ଓଡ଼ିଆ ସରପଞ୍ଚଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି ।

 

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍‌ ସମ୍ବାଇ ପଞ୍ଚାୟତ ଅନ୍ତର୍ଗତ ସୁନାବେଡା ଗାଁ ଅଞ୍ଚଳକୁ ପ୍ରାୟ ଅଢ଼େଇ ଶହ ମିଟର ପଶି ଆସିଛନ୍ତି ଆନ୍ଧ୍ର ପ୍ରଦେଶର ଲୋକ । ବିଶାଖପାଟଣା ଜିଲ୍ଲା ଡୁମୁରୀଗୁଡ଼ା ମଣ୍ଡଳ ଡେକାପାରୁଓ କଲାପୁଟ ଗାଁର କିଛି ଲୋକ ସୁନାବେଡା ଅଞ୍ଚଳର ଜଙ୍ଗଲ ଜମିକୁ କବ୍‌ଜା କରି ଚାଷ କରିବାକୁ ଚେଷ୍ଟା କରୁଛନ୍ତି । ଏହାକୁ ନେଇ ବିବାଦ ଦେଖା ଦେବାରୁ କୋରାପୁଟ ଉପଜିଲ୍ଲାପାଳ ଓ ପଟାଙ୍ଗୀ ବିଧାୟକଙ୍କ ସମେତ ଏକ ଦଳ ଯାଇ ଓଡ଼ିଶା ଅଞ୍ଚଳରେ ଆନ୍ଧ୍ର ଲୋକ ପୋତିଥିବା ସୀମା ସୂଚନା ଫଳକ ଭାଙ୍ଗି ପୂର୍ବ ନିର୍ଦ୍ଧାରିତ ଅନୁସାରେ ଉଭୟ ରାଜ୍ୟର ସୀମାରେ ଫଳକ ଲଗାଇଥିଲେ । ତେବେ ଏହାକୁ ଭ୍ରୂକ୍ଷେପ ନକରି ପୁଣି ନିଜେ ଚିହ୍ନଟ କରିଥିବା ସ୍ଥାନରେ ପଥର ରଖି ରାସ୍ତା ଅବରୋଧ କରିଛନ୍ତି ଆନ୍ଧ୍ର ବାସିନ୍ଦା । ଏହା ହଟାଇବାକୁ ସମ୍ବାଇ ପଞ୍ଚାୟତ ମହିଳା ସରପଞ୍ଚ ସେଠାରେ ପହଁଚିଥିବା ବେଳେ ତାଙ୍କୁ ଧମକ ଦେଇ ଆନ୍ଧ୍ର ଘଉଡ଼ାଇ ଦେଇଥିଲେ ।

କୋଟିଆକୁ ଅକ୍ତିଆର କରିବା ପାଇଁ ଯେଉଁଭଳି ଭାବେ ସରକାରୀ ଷଡ଼ଯନ୍ତ୍ର ହୋଇଥିଲା ଏହା ସେପରି ନୁହେଁ । କିନ୍ତୁ ଆନ୍ଧ୍ର ଲୋକ ସଂଘବଦ୍ଧ ଭାବେ ସୁନାବେଡ଼ା ଗାଁ ଲୋକଙ୍କୁ ଭୟଭୀତ କରି ଓଡ଼ିଶାର ଜଙ୍ଗଲ ଜମିକୁ କବ୍‌ଜା କରିବାକୁ ଚେଷ୍ଟା କରୁଛନ୍ତି । ଏନେଇ ଗତ ୯ ତାରିଖରେ କୋରାପୁଟ ଉପଜିଲ୍ଲାପାଳ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି । ପଟ୍ଟାଙ୍ଗୀ ବିଧାୟକ କହିଛନ୍ତି, ସମସ୍ୟାର ସମାଧାନ ପାଇଁ ସରକାରୀ ପ୍ରକ୍ରିୟା ଚାଲିଛି । ଓଡ଼ିଶା ସୀମା ଭିତରକୁ ଇଞ୍ଚେ ବି ଆସିବାକୁ ଦିଆଯିବ ନାହିଁ ବୋଲି ବିଧାୟକ ପ୍ରୀତମ ପାଢ଼ୀ କହିଛନ୍ତି ।

Leave a Reply