ଜୀବନ ନେଉଛି ଅଜଣା ରୋଗ, ଦୁଇ ଜଣଙ୍କ ପରେ ପରିବାରର ଆଉ ଜଣେ ଆକ୍ରାନ୍ତ

ଗଞ୍ଜାମ: ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ଅଜଣା ରୋଗ । ପ୍ରଥମେ ଦୁଇ ପୁଅଙ୍କ ଅଜଣା ରୋଗରେ ମୃତ୍ୟୁ ହେବା ପରେ ଏବେ ଝିଅ ରଶ୍ମିତାଙ୍କୁ ମଧ୍ୟ ହୋଇଛି ସମାନ ରୋଗ । ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ରଶ୍ମିତାଙ୍କ ଚିକିତ୍ସା କରିପାରୁ ନାହାଁନ୍ତି ବାପା, ମାଆ । ସବୁ ଆଡୁ ନିରାଶ ହେବା ପରେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ଗରିବ ପରିବାର ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଖାରିପାଲ୍ଲୀର ଧୋବା ପ୍ରଧାନଙ୍କ ଝିଅ ରଶ୍ମିତା, ବୟସ ମାତ୍ର ୨୫ ବର୍ଷ । ପାଠ ପଢିବା ବୟସରେ ସେ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ । ଅଜଣା ରୋଗରେ ଆକ୍ରାନ୍ତ ହୋଇ ଉଠି ପାରୁନାହାଁନ୍ତି କି ଚଲାବୁଲା କରି ପାରୁନାହାଁନ୍ତି । ସପ୍ତମ ଶ୍ରେଣୀରୁ ସେ ଏହି ରୋଗର ଶିକାର ହୋଇଥିବା ପରିବାର ଲୋକ କହିଛନ୍ତି । କେବଳ ରଶ୍ମିତା ନୁହଁନ୍ତି ଏହି ସମାନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ପ୍ରାଣ ହରାଇଛନ୍ତି ପରିବାର ଦୁଇ ଭେଣ୍ଡିଆ ପୁଅ । ଆଉ ଏବେ ଝିଅ ରଶ୍ମିତାଙ୍କ ଅବସ୍ଥା ଦେଖି ଦୁଃଖରେ ଭାଂଗି ପଡ଼ିଛନ୍ତି ବାପା, ମା’ ।

ଚିକିତ୍ସା ପାଇଁ ରଶ୍ମିତାଙ୍କୁ ବ୍ରହ୍ମପୁର, କଟକ, ହାଇଦ୍ରାବାଦ ଓ ମୁମ୍ବାଇର ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ରୋଗ ନିରୂପଣ କରିପାରୁନଥିବାରୁ ଚିକିତ୍ସା ଆଗେଇ ପାରୁନାହିଁ । ଫଳରେ ବାରମ୍ବାର ରାଜ୍ୟ ଓ ରାଜ୍ୟ ବାହାର ହସ୍ପିଟାଲକୁ ନେଇ ସର୍ବସ୍ୱାନ୍ତ ହୋଇଛନ୍ତି ପରିବାର । ଏଭଳି ପରିସ୍ଥିତିରେ ରଶ୍ମିତାଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ କହିଛନ୍ତି ସ୍ଥାନୀୟ ସରପଞ୍ଚ ।

Leave a Reply