ବାଲେଶ୍ୱର,ତିର୍ତ୍ତୋଲ ଉପନିର୍ବାଚନ : ସର୍ବଦଳୀୟ ବୈଠକ ଡାକି ନିୟମ ବତାଇଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ବାଲେଶ୍ୱର ଜିଲା ବାଲେଶ୍ୱର ସଦର ଏବଂ ଜଗତସିଂହପୁର ଜିଲା ତିର୍ତ୍ତୋଲରେ ଆସନ୍ତା ନଭେମ୍ବର ୩ ତାରିଖରେ ଉପ ନିର୍ବାଚନ ହେବାକୁ ଯାଉଛି । କୋଭିଡ ସମୟରେ ଓଡ଼ିଶାରେ ଏହା ପ୍ରଥମ ନିର୍ବାଚନ । ତେଣୁ ଏହାକୁ ସୁରୁଖୁରରେ ସମ୍ପାଦିତ କରାଇବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତତ୍ପରତା ପ୍ରକାଶ କରିଛି ।  ଆଉ ଦିନ କେଇଟା ପରେ ଏ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ତେଣୁ ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନରେ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ କରାଯିବ ବୋଲି ସ୍ପଷ୍ଟ ସଙ୍କେତ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ପ୍ରଚାର ବେଳେ କୌଣସି ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପ କରାଯାଇ ପାରିବନି  । ପ୍ରଚାରବେଳେ ଦଳର ପୂର୍ବ କାର୍ଯ୍ୟକଳାପକୁ ସମାଲୋଚନା କରାଯାଇପାରେ । ସେହିପରି ଅପରାଧ ପୃଷ୍ଠଭୂମିର ପ୍ରାର୍ଥୀଙ୍କ ପାଇଁ ଦଳକୁ କୈଫିୟତ ଦେବାକୁ ହେବ । ଲୋକଙ୍କ ଅବଗତି ପାଇଁ ଅତିକମରେ ୩ଥର ଗଣମାଧ୍ୟମରେ ପ୍ରଚାର କରାଇବେ । ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାରପ୍ରସାର କରାଇବେ ପ୍ରାର୍ଥୀ । ୮୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କରାଯିବ । ଗୋଟିଏ ବୁଥରେ ସର୍ବାଧିକ ହଜାରେ ଭୋଟର ମତଦାନ କରିପାରିବେ ବୋଲି କୁହାଯାଇଛି । ।

ଭୋଟ ଗ୍ରହଣ ପୂର୍ବରୁ ସମସ୍ତ ବୁଥରେ ହେବ ବିଶୋଧନ କରାଯିବ । ନାମାଙ୍କନ ପତ୍ର ଦାଖଲ କରିବାବେଳେ ସର୍ବାଧିକ ୨ଜଣ ରହିବେ । ପଦଯାତ୍ରା ଓ ଘରକୁ ଘର ବୁଲି ପ୍ରଚାରବେଳେ ସର୍ବାଧିକ ୫ ଜଣ ରହିବେ ବୋଲି ଜଣାପଡିଛି  । ଏହି ବୈଠକରେ ବିଜେଡି ପକ୍ଷରୁ ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ, କଂଗ୍ରେସ ପକ୍ଷରୁ ଶିବାନନ୍ଦ ରାୟ, ସିପିଏମର ଦୁଷ୍ମନ୍ତ ଦାସ, ବିଜେପିର ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply