ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ୨୨ ବର୍ଷ ହେଲା ମହାରାଷ୍ଟ୍ରରେ ନାଁ ବଦଳାଇ ରହୁଥିଲା ବିବନ

Anjana Mishra

ଭୁବନେଶ୍ୱର: ପରଫେକ୍ଟ କ୍ରାଇମ୍ ବୋଲି କିଛି ନଥାଏ । ଅପରାଧୀ ନିଜ ପଛରେ ଏମିତି କିଛି ନା କିଛି ଖିଅ ଛାଡିଥାଏ, ଯାହା ତାକୁ ଆଇନର କାଠଗଡ଼ା ଭିତରକୁ ଟାଣେ । ସେହିଭଳି କିଛି ଘଟିଛି, ଏକଦା ଓଡ଼ିଶା ରାଜନୀତିକୁ ଦୋହଲାଇ ଦେଇଥିବା ଅଂଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ । ୨୨ ବର୍ଷ ପରେ ଅପରାଧର ମୁଖ୍ୟ ଖଳନାୟକ ଧରା ପଡ଼ିଛି ।

କେସ୍ କ୍ଲୋଜ୍ ହୋଇସାରିଥିଲା । ହାଇକୋର୍ଟ ମୁଖ୍ୟ ଅଭିଯୁକ୍ତ ଧରା ନପଡିବା ନେଇ ଦୁଃଖ ପ୍ରକାଶ କରିଥିଲେ । ସିବିଆଇ ହାତ ଝାଡି ଦେଇଥିଲା । ଲାଗୁଥିଲା ଅଂଜନା ମିଶ୍ରଙ୍କୁ ସଂପୂର୍ଣ୍ଣ ନ୍ୟାୟ ମିଳିବ ନାହିଁ । ଏମିତିରେ ହଠାତ୍‌ ଓଡ଼ିଶା ପୋଲିସ ଗିରଫ କଲା ବିବନ ବିଶ୍ୱାଳକୁ ।

ସେଇ ବିବନ ଯିଏ ଥିଲା ଜଘନ୍ୟ କାଣ୍ଡର ମୁଖ୍ୟ କାର୍ପଟଦାର । ୧୯୯୯ ଜାନୁଆରୀ ୯ ତାରିଖ ଦିନ ବାରଙ୍ଗ ବେଲଗାଛିଆରେ ଅପରାଧ ଘଟାଇବା ପରେ ବିବନ ଗାଏବ ହୋଇଯାଇଥିଲା । ଅପରାଧରେ ତାକୁ ସହଯୋଗ କରିଥିବା ଦୁଇ ଜଣ ପୋଲିସ ହାତର ଧରା ପଡିଥିଲେ । ଅଦାଲତ ଦ୍ୱାରା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ।

କିନ୍ତୁ ବିବନ ଅଦୃଶ୍ୟ ଥିଲା । ବର୍ଷେ ଦୁଇ ବର୍ଷ ପାଇଁ ନୁହେଁ । ପୁରା ୨୨ ବର୍ଷ ଧରି ସେ ସିବିଆଇକୁ ଚକମା ଦେଇ ଆସୁଥିଲା । ଯେଉଁ ସିବିଆଇ ବଡ ବଡ ମାଫିଆଙ୍କ ବିରୋଧରେ ୱାଟର ଟାଇଟ୍ ପ୍ରମାଣ ଯୋଗାଡ କରିପାରୁଥିଲା, ସେଇ ସିବିଆଇ ବିବନକୁ ନେଇ ବିବଶ ଥିଲା । ସିବିଆଇ ପାଖରେ ନଥିଲା ତା’ର ଠିକଣା । ଲାଗୁଥିଲା ବିବନ ହାୱାରେ ଗାଏବ ହୋଇଯାଇଛି । କିନ୍ତୁ କିଛି ଦିନ ତଳେ କମିଶନରେଟ୍ ପୋଲିସକୁ ବିବନକୁ ନେଇ ସୂଚନା ମିଳିଥିଲା । ବିବନ ମହାରାଷ୍ଟ୍ରର ଆମ୍ବିଭ୍ୟାଲିରେ ଅଛି । ଏହି ସୂଚନା କମିଶନରେଟ୍ ପୋଲିସକୁ ସକ୍ରୀୟ କରିଥିଲା । ଏହାପରେ ଆରମ୍ଭ ହୁଏ ଅପରେସନ୍ ସାଇଲେଣ୍ଟ୍ ଭାଇପର ।

ମହାରାଷ୍ଟ୍ର ପୋଲିସ ସହଯୋଗରେ ଆଗକୁ ବଢେ ଅପରେସନ୍ ସାଇଲେଣ୍ଟ୍ ଭାଇପର । ବିବନକୁ ନେଇ ଏକାଠି କରାଯାଏ ତଥ୍ୟ । ଜଣାପଡେ ଯେ, ବିବନ ସେଠାରେ ପାଇପ୍ ମିସ୍ତ୍ରୀ ଭାବେ କାମ କରୁଛି । ନୂଆ ପରିଚୟ ସହିତ ନୂଆ ଜୀବନ ଯିଉଁଛି ବିବନ । ନୂଆ ନାଁ ଥିଲା ଜଳନ୍ଧର ସ୍ୱାଇଁ । ଖାଲି ଏତିକି ନୁହେଁ ବିବନ ଜଳନ୍ଧର ନାମରେ ଯୋଗାଡ କରିଥିଲା ଆଧାର କାର୍ଡ । ସେଇ ଆଧାର କାର୍ଡରେ ଖୋଲିଥିଲା ବ୍ୟାଙ୍କ ଆକାଉଣ୍ଟ । ଘରକୁ ବି ପଠାଉଥିଲା ଟଙ୍କା । ୨୦୦୭ରେ ବିବନ ଆମ୍ବିଭ୍ୟାଲିରେ କାମ ଆରମ୍ଭ କରିଥିଲା । ୨୦୧୧ ମସିହାରେ ବିବନ ଓରଫ ଜଳନ୍ଧରକୁ ସିଏ କାମ କରୁଥିବା କମ୍ପାନୀ ସ୍ଥାୟୀ କରିଥିଲା ।

ସବୁ ସୂଚନା ଓ ୱାଟର ଟାଇଟ୍ ପ୍ରମାଣ ମିଳିବା ପରେ କମିଶନରେଟ୍ ପୋଲିସ ଆକ୍ସନ ମୋଡ୍‌କୁ ଆସିଥିଲା । ଅପରେସନ୍‌ ସାଇଲେଣ୍ଟ ଭାଇପର କ୍ରମରେ ଧରା ପଡିଲା ବିବନ । ୨୨ ବର୍ଷର ସର୍ଚ୍ଚ ଅପରେସନରେ ପଡିଲା ପୂର୍ଣ୍ଣଛେଦ ।

Leave a Reply