ରାତି ପାହିଲେ ବାଲେଶ୍ୱର ସଦର, ତିର୍ତ୍ତୋଲ ଉପନିର୍ବାଚନ, ପ୍ରଶାସନ ପ୍ରସ୍ତୁତ

ଭୁବନେଶ୍ୱର : ରାତି ପାହିଲେ ଭୋଟ୍ । ରାଜ୍ୟର ୨ଟି ଗୁରୁତ୍ୱପୂର୍ଣ୍ଣ ଆସନରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଜଗତସିଂହପୁର ଜିଲା ତିର୍ତ୍ତୋଲ ଏବଂ ବାଲେଶ୍ୱର ଜିଲାର ବାଲେଶ୍ୱର ସଦର ଆସନରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନଭେମ୍ବର ୩ ଅର୍ଥାତ ମଙ୍ଗଳବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ ।

ଏଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ ଲୋହାନୀଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କୋଭିଡ଼ କଟକଣା ମଧ୍ୟରେ ୨ଟି ନିର୍ବାଚନମଣ୍ଡଳୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା, ସାନିଟାଇଜେସନକୁ ବ୍ୟାପକ ଗୁରୁତ୍ୱ ଦିଆଯାଇଛି । ତିର୍ତ୍ତୋଲରେ ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇ ୩୭୩କୁ ବୃଦ୍ଧି କରାଯାଇଛି । ଏହି ନିର୍ବାଚନମଣ୍ଡଳୀର ୨,୩୭,୨୮୨ ଜଣ ଭୋଟର ମତଦାନ କରିବେ । ପୂର୍ବରୁ ବୁଥ ଗୁଡିକ ଯେଉଁଠି ରହିଥିଲା, ସେଠାରେ ରହିଛି । ତିର୍ତ୍ତୋଲ ୫ଟି ସ୍ଥାନରେ ବୁଥକୁ ନିକଟସ୍ଥ ବିଲ୍ଡିଂକୁ ସ୍ଥାନ୍ତାନ୍ତରିତ କରାଯାଇଛି ।ଅନୁରୂପଭାବେ ବାଲେଶ୍ୱରରେ ମଧ୍ୟ ୩୪୬ ବୁଥ ପ୍ରସ୍ତୁତ ହୋଇଛି ।ସେଠାରେ ମୋଟ ୨,୩୦,୨୯୭ ଜଣ ଭୋଟ୍ ଦେବେ । ୧୨ଟି ସ୍ଥାନରେ ବୁଥକୁ ନିକଟସ୍ଥ ବିଲ୍ଡିଂକୁ ସ୍ଥାନ୍ତାନ୍ତରଣ କରାଯାଇଛି ।

ଉଭୟ ନିର୍ବାଚନମଣ୍ଡଳୀରେ ଭୋଟରଙ୍କ ତାପମାତ୍ରା ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଛି । ଯାହାର ତାପମାତ୍ରା ସାଧାରଣ ତାପମାତ୍ରାଠୁ ଅଧିକ ରହିବ । ତାଙ୍କ ପାଇଁ ଅଲଗା ବ୍ୟବସ୍ଥା କରାଯିବ । ସେ ମତଦାନ ଗ୍ରହଣର ଶେଷ ଘଣ୍ଟାରେ ଭୋଟ୍ ଦେଇ ପାରିବେ । ଭୋଟ ଦେବା ପୂର୍ବରୁ ସମସ୍ତଙ୍କ ହାତ ସାନିଟାଇଜ୍ କରାଯିବା ସହ ଗ୍ଲୋବସ ଦିଆଯିବ । ଡାହାଣ ହାତରେ ଏହି ଗ୍ଲୋବସ ପିନ୍ଧି ଭୋଟର ମାନେ ମତ ଦାନ କରିବେ ।

ଭୋଟରମାନଙ୍କୁ ୧୧ଟି ପରିଚୟ ପତ୍ର ମଧ୍ୟ କୌଣସି ଗୋଟିଏ ଆଣି ମତଦାନ କେନ୍ଦ୍ରକୁ ଆସିବାକୁ ନିୟମ ରହିଛି । ଏହା ମଧ୍ୟରେ ଭୋଟର କାର୍ଡ, ଆଧାର କାର୍ଡ, ଜବ କାର୍ଡ, କର୍ମକ୍ଷେତ୍ର ପରିଚୟ ପତ୍ର, ବ୍ୟାଙ୍କ୍ ପାସବୁକ୍ ଇତ୍ୟାଦି ରହିଛି ।

୨ଟି ନିର୍ବାଚନମଣ୍ଡଳୀରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୩୫୦୦ ପୋଲିଂ ଅଫିସରକୁ ନିଯୁକ୍ତି କରାଯାଇଛି । ଏଥିସହିତ ୮୦୦ ଆଶା କର୍ମୀକୁ ମଧ୍ୟ ନିୟୋଜିତ କରାଯାଇଛି । ବାଲେଶ୍ୱର ସଦର ଆସନରେ ୮୬ ସମ୍ବେଦନଶୀଳ ବୁଥ୍ ଏବଂ ତିର୍ତ୍ତୋଲରେ ୧୫୫ ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଏହି ସବୁ ବୁଥରେ ସିସିଟିଭି, ୱେବ କାଷ୍ଟିଂ, ଭିଡିଓ ଗ୍ରାଫିଂ ଏବଂ ମାଇକ୍ରୋ ଅଭଜରଭର ରଖାଯିବ । ଏଥିପାଇଁ ୯୦ ପ୍ଲାଟୁନ୍ ପୋଲିସ, ୨୫୦ ପୋଲିସ ଅଫିସର ଏବଂ ୬ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ କରାଯାଇଛି ।

ବାଲେଶ୍ୱର ସଦରରେ ବିଜେଡିର ସ୍ୱରୂପ ଦାସ, ଭାଜପାର ମାନସ ଦତ୍ତ, କଂଗ୍ରେସରୁ ମମତା କୁଣ୍ଡୁ ଏବଂ ସ୍ୱାଧୀନ ଭାବେ ବେଣୁଧର ବାରିକ ଲଢୁଛନ୍ତି । ସେହିପରି ତିର୍ତ୍ତୋଲରେ ବିଜେଡିରୁ ବିଜୟ ଶଙ୍କର ଦାସ, କଂଗ୍ରେସରୁ ହିଂମାଶୁ ମଲ୍ଲିକ, ଭାଜପାରୁ ରାଜ କିଶୋର ବେହେରା ଲଢୁଛନ୍ତି । ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ସଦର ଆସନରୁ ପ୍ରତିନିଧିତ୍ୱ କରୁଥିବା ମଦନମୋହନ ଦତ୍ତ ଏବଂ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ପରେ ଉପନିର୍ବାଚନ ଆବଶ୍ୟକ ହୋଇଥିଲା ।

 

Leave a Reply