କରୋନା ଟିକା ନାଁରେ ଆସିପାରେ କଲ୍‌, ନିମିଷେକେ ଖାଲି ହୋଇଯିବ ଆକାଉଣ୍ଟ ! ଠକଙ୍କ ନୂଆ ଫଣ୍ଡା..

1 min read
Cyber Loot

ଭୁବନେଶ୍ୱର: ସାରା ଦୁନିଆ ଏବେ କରୋନା ଟିକା ପଛରେ ପଡ଼ିଛି । ଆଉ ଏଥିରୁ ଚାନ୍ସ ମାରିବାକୁ ଚାହିଁ ବସିଛନ୍ତି ସାଇବର ଠକ । ଲୋକଙ୍କୁ ଭ୍ୟାକ୍ସିନ୍‌ ରେଜିଷ୍ଟ୍ରେସନ ନାଁରେ ମାରି ପାରନ୍ତି ଚୂନ । ଏନେଇ ଲୋକଙ୍କୁ ଆଲର୍ଟ ରହିବାକୁ କହିଛନ୍ତି ଡିସିପି ।

କରୋନା ଭ୍ୟାକ୍ସିନ ନାଁରେ ହୋଇପାରେ ସାଇବର ଠକେଇ । ଭ୍ୟାକ୍ସିନ ପଞ୍ଜୀକରଣ ନାଁରେ ସାଇବର ଠକ କରୁଛନ୍ତି ବ୍ଲୁ-ପ୍ରିଣ୍ଟ । ଅନ୍‌ଲାଇନରେ ପଞ୍ଜୀକରଣ ପାଇଁ ଆସିପାରେ କଲ୍ । ଅନଲାଇନ ମାଧ୍ୟମରେ ଲିଙ୍କ୍ ନେଇ ପକାଇବେ ଥୋପ । ଏପରିକି ଆଧାର କାର୍ଡ ଓ ଇମେଲ୍ ଆଇଡି ମାଗିପାରନ୍ତି ସାଇବର ଠକ । ଭ୍ୟାକ୍ସିନ କନଫର୍ମ ପାଇଁ ମୋବାଇଲ ନମ୍ବରକୁ ଆସିଥିବା ଓଟିପି ମଧ୍ୟ ମାଗିବେ । କାହିଁକି ନା ବ୍ୟାଙ୍କରେ ଆଧାରକାର୍ଡ ଲିଙ୍କ ହୋଇଥାଏ । ଏଭଳି ଏକ ନୂଆ ଫଣ୍ଡା ପ୍ରସ୍ତୁତ କରିଛନ୍ତି ଠକ । କରୋନା ଭ୍ୟାକ୍ସିନ ନାଁରେ ଖୋଳ କରିଦେବେ ପୁରା ଆକାଉଣ୍ଟ । ଯଦି କାହାକୁ ଏଭଳି କଲ ଆସେ, ତେବେ ଏଥିରୁ ଦୂରେଇ ରହିବାକୁ ଅପିଲ କରିଛନ୍ତି ଡିସିପି ।

ରାଜ୍ୟରେ ଭ୍ୟାକ୍ସିନ କେବଳ କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଧିଷ୍ଟ । ଯଦି ସର୍ବସାଧାରଣରେ ଭ୍ୟାକ୍ସିନ ବିକ୍ରି ହୁଏ, ତାହେଲେ ରାଜ୍ୟ ସରକାର ହେଲ୍ପ ଲାଇନ ନମ୍ବର ଜାରି କରିପାରନ୍ତି । ଏଥିପାଇଁ ସରକାର ବିଭାଗୀୟ ୱେବସାଇଟ, ଟୁଇଟର ଓ ବିଜ୍ଞାପନ ମଧ୍ୟ ଦେଇପାରନ୍ତି । କିନ୍ତୁ ଏଯାଁଏ ଏଭଳି କିଛି ଯୋଜନା କରି ନାହାନ୍ତି ରାଜ୍ୟ ସରକାର । ଯଦି ସନ୍ଦେହ ଜନକ ଫୋନ୍‌ ଆସେ, ତାହେଲେ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗଯୋଗ କରନ୍ତୁ ବୋଲି ଭୁବନେଶ୍ୱର ଡିସିପି ନିବେଦନ କରିଛନ୍ତି ।

ରାଜଧାନୀରେ ଗତ କିଛି ଦିନ ଧରି ସାଇବର ଅପରାଧୀମାନେ ବିଭିନ୍ନ ପ୍ରକାର ଲୋଭନୀୟ ଅଫର ଓ କୌଶଳ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏଣୁ କରୋନା ଟିକା ପଞ୍ଜିକରଣ ନାଁରେ ଠକେଇ ପୂର୍ବରୁ ସାବଧାନ ରହିବାକୁ ପୋଲିସ ସତର୍କ କରାଇଛି ।

Leave a Reply