ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର; ରାହୁଲ କହିଲେ ‘ନିଯୁକ୍ତି ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି ପ୍ରଧାନମନ୍ତ୍ରୀ’

Bihar Election

ବିହାର: ବିହାରରେ ବୁଧବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ସରିଥିବା ବେଳେ ଏବେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ ହୋଇଯାଇଛି । ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଇଦାନରେ ରହିଥିବା ବେଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ଏବଂ ଆରଜେଡି ପକ୍ଷରୁ ତେଜସ୍ୱୀ ଯାଦବ ମାରାଥନ୍‌ ରାଲି କରୁଛନ୍ତି ଏବଂ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ।

ବିଭିନ୍ନ ସ୍ଥାନରେ ରାଲି କରି ପ୍ରଚାରକୁ ଆହୁରି ତୀବ୍ର କରୁଛନ୍ତି ନେତା । ମୋଦି ବିହାରରେ ୩ଟି ସ୍ଥାନରେ ମାରାଥନ ରାଲି କରିଥିବା ବେଳେ ପାଟନାର ଏକ ରାଲିରେ ସେ କହିଛନ୍ତି ଯେ, ବିହାରରେ ଲଣ୍ଠନ ଯୁଗର ଅନ୍ଧକାର ଶେଷ ହୋଇଯାଇଛି । ଯେଉଁମାନେ କେବଳ ନିଜ ପରିବାର କଥା ଚିନ୍ତା କରିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଅନ୍ୟାୟ କରିଛନ୍ତି, ସେମାନେ କେବେ ହେ‌ଲେ ବିହାର ବାସିନ୍ଦାଙ୍କ ଆଶା ଓ ଆକାଂକ୍ଷାକୁ ବୁଝିପାରିବେନି ବୋଲି ମୋଦି କହିଛନ୍ତି ।

Khalistani Terrorist Organization Planning To Attack PM Narendra Modi In His Election Rallies In Bihar

ସେପଟେ ପଶ୍ଚିମ ଚମ୍ପାରଣରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରାହୁଲ କହିଛନ୍ତି, ଏନ୍‌ଡିଏ ସରକାର କୃଷକଙ୍କ ସ୍ୱାର୍ଥକୁ ବଳି ପକାଇ ଦେଇଛନ୍ତି ଏବଂ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ କର୍ମନିଯୁକ୍ତିରୁ ବଞ୍ଚିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏବେ ତାଙ୍କ ପ୍ରଚାର ସଭାରେ ନିଯୁକ୍ତି ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି କାହିଁକି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।

ସେହିପରି ଆରଜେଡି ନେତା ତେଜସ୍ୱୀ ମଧ୍ୟ ବିଭିନ୍ନ ରାଲିରେ ନୀତିଶ ସରକାର ଉପରେ କଡ଼ା ପ୍ରହାର କରିଛନ୍ତି । ରାଜ୍ୟବାସୀଙ୍କୁ କେବଳ ପ୍ରତାରଣା କରି ନୀତିଶ କ୍ଷମତାରେ ରହିଛନ୍ତି ଏବଂ ଏଥର ଏହି ଅପାରଗ ସରକାରକୁ ‌ତଡ଼ିବା ପାଇଁ ଲୋକେ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି ।

Bihar Election

୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ପାଇଁ ଗତକାଲି ପ୍ରଥମ ପର୍ଯ୍ୟାୟରେ ୭୦ ଆସନରେ ଭୋଟ୍‌ ଗ୍ରହଣ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୫୪% ମତଦାନ ହୋଇଥିବାବେଳେ ଇଭିଏମ୍‌‌ରେ ବନ୍ଦ ହୋଇଛି ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ । ନଭେମ୍ବର ୭ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ନଭେମ୍ବର ୧୦ ତାରିଖରେ ନିର୍ବାଚନ ଫଳାଫଳ ଆସିବ ।

Leave a Reply