ମିଥ୍ୟା ଖବର ପରିବେଷଣ ନେଇ ଚିନ୍ତା ପ୍ରକାଶ କଲେ ସାଂସଦ ସସ୍ମିତ ପାତ୍ର: ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ନେଇ ଦେଲେ ପରାମର୍ଶ

1 min read

ନୂଆଦିଲ୍ଲୀ: ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ମିଥ୍ୟା ଖବର ପରିବେଷଣ ବୃଦ୍ଧି ପାଇଛି  । ଉତ୍ତେଜକ ହେଡ୍‌ଲାଇନ ସହ ଖବର ପରିବେଷଣ କରାଯାଉଛି  । ଯାହା ସମାଜ ଅତ୍ୟନ୍ତ ଚିନ୍ତାଜନକ  । ରାଜ୍ୟସଭାରେ ଏପରି ଚିନ୍ତା ପ୍ରକାଶ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର  । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରି ଏହା ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ସେ ପରାମର୍ଶ ଦେଇଛନ୍ତି  । ଆଉ ଜାଣିବାକୁ ଚାହିଁଛନ୍ତି, କେନ୍ଦ୍ର ସରକାର ଏହାକୁ ରୋକିବାକୁ ଆଉ କିଛି ନୂଆ ପଦକ୍ଷେପ ନେଇଛନ୍ତି କି ? ମିଥ୍ୟା ଖବର ଓ ଉତ୍ତେଜନା ସୃଷ୍ଟିକାରୀ ଗଣମାଧ୍ୟମ ସଂସ୍ଥା ବିରୋଧରେ ନିଆଯାଇଥିବା ପଦକ୍ଷେପ ବିଷୟରେ ବିଶଦ ବିବରଣୀ ଦେବାକୁ ସସ୍ମିତ କହିଥିଲେ  । ଉତ୍ତରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭ୍‌ଡେକର କହିଥିଲେ ଯେ, ପ୍ରେସ କାଉନସିଲ ଅଫ ଇଣ୍ଡିଆ-ପିସିଆଇ ଆଇନ ଅନୁସାରେ କୌଣସି ଗଣମାଧ୍ୟମ ସଂସ୍ଥା ମିଥ୍ୟା ତଥା ଉତ୍ତେଜନା ସୃଷ୍ଟିକାରୀ ଖବର ପରିବେଷଣ କରିପାରିବେ ନାହିଁ  । କୌଣସି ପରିସ୍ଥିତିରେ ସାମ୍ବାଦିକତାର ନିୟମରେ ଖିଲାପ କରିପାରିବେ ନାହିଁ  । ନିୟମ ଭଙ୍ଗ କଲେ ଆଇନର ଧାରା ୧୪ ଅନୁସାରେ ପିସିଆଇ ତଦନ୍ତ କରି ସଂପୃକ୍ତ ଗଣମାଧ୍ୟମ ସଂସ୍ଥାକୁ ଚେତାବନୀ କିମ୍ବା ସେନସର ଲାଗୁ କରିପାରିବ  । ଏହାସହ ସଂପୃକ୍ତ ଗଣମାଧ୍ୟମ ସଂସ୍ଥାର ସଂପାଦକ, ସାମ୍ବାଦିକଙ୍କୁ ଚେତାବନୀ ଦେଇପାରିବ  । ଜାନୁଆରୀ ୨୦୨୦ ରୁ ଜାନୁଆରୀ ୨୦୨୧ ମଧ୍ୟରେ ଏପରି ୬ଟି ଘଟଣାରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  । ସେହିପରି କେବୁଲ ଟେଲିଭିଜନ ନେଟୱର୍କ ନିୟାମକ ୧୯୯୫ ଅନୁସାରେ ବୈଦ୍ୟୁତିକ ଗଣମାଧ୍ୟମଗୁଡିକ ଅଶ୍ଲୀଳ, ଉତ୍ତେଜନାମୂଳକ, ମିଥ୍ୟା, ଅର୍ଦ୍ଧସତ୍ୟ, କାହା ବିରୋଧରେ ଅପମାନଜନକ ଖବର ପ୍ରସାରଣ ପାଇଁ ବାରଣ କରାଯାଇଛି  । ନିୟମ ଖିଲାପକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି  । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଥିବା ପ୍ରେସ ଇନଫର୍ମେସନ ବ୍ୟୁରୋ ମଧ୍ୟ ଏକ ଫ୍ୟାକ୍ଟ ଚେକ ୟୁନିଟ ଗଠନ କରିଛି  । ଯିଏ ନିଜ ଆଡୁ ଏପରି ମିଥ୍ୟ ଓ ଉତ୍ତେଜନାକାରୀ ଖବର ଉପରେ ନଜର ରଖି ନିଜ ଆଡୁ ସତର୍କ କରାଇପାରିବ  । ଏ ଦିଗରେ ଏକ ଟ୍ବିଟର ଆକାଉଣ୍ଟ @PIBFactcheck ମଧ୍ୟ କାର୍ଯ୍ୟ କରୁଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ ।

ଏଥିସହତ ପଢ଼ନ୍ତୁଷ ପ୍ରତିଟି ମା’ ମଧ୍ୟରେ ରହିଛି ନେତୃତ୍ୱ ନେବାର ସାହସ ଓ ଦକ୍ଷତା: ମୁଖ୍ୟମନ୍ତ୍ରୀ

Leave a Reply