ଯାଜପୁର NINLରୁ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ବିଳମ୍ବିତ, MMTCକୁ ଉତ୍ତରଦାୟୀ କଲେ ବିଜେଡି ଏମପି ଅମର

1 min read

ଭୁବନେଶ୍ୱର: ଯାଜପୁରସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିଃ(NINL)ରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ବହୁ ପୂର୍ବରୁ ନିଷ୍ପତ୍ତି ହୋଇ ସାରିଛି । ହେଲେ ଏହାକୁ ନେଇ ପ୍ରକ୍ରିୟା ଏଯାବତ୍ ସମ୍ପୂର୍ଣ୍ଣ ହୋଇନାହିଁ । ସେହିପରି ଏଥିରେ କାର୍ଯ୍ୟ କରୁଥିବା ବହୁ କର୍ମଚାରୀ ସେମାନଙ୍କ ବକେୟା ଦରମା ପାଇନାହାନ୍ତି । ପ୍ରାୟ ୧୨ ମାସର ଦରମା କର୍ମଚାରୀମାନଙ୍କୁ ମିଳିନାହିଁ ।

ଏହି ସଂକ୍ରାନ୍ତରେ କର୍ମଚାରୀମାନେ ପ୍ରତିବାଦଠାରୁ ଆରମ୍ଭ କରି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଚିଠି ଲେଖି ସାରିଲେଣି । ହେଲେ ସେମାନଙ୍କୁ ଏଯାବତ୍ ବକେୟା ମିଳିନାହିଁ । ପାଉଣା ମିଳିବାକୁ ନେଇ କର୍ମଚାରୀ ସଂଘ ପକ୍ଷରୁ ବିଜେଡି ରାଜ୍ୟସଭା ଏମପି ଅମର ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ପୂର୍ବରୁ ଏସଂକ୍ରାନ୍ତରେ ଅମର ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିବା ଫେସବୁକ୍ ମାଧ୍ୟମରେ କହିଛନ୍ତି ।

ଅମର କହିଛନ୍ତି ଯେ, MMTC Limited ଏବଂ ଅନ୍ୟ କେନ୍ଦ୍ରୀୟ ସଂସ୍ଥାନର କର୍ମଚାରୀ ମାନଙ୍କ ଦୁର୍ଦ୍ଦଶା ପ୍ରତି ଉଦାସୀନତା ମୋତେ ବ୍ୟଥିତ କରିଛି। ଆଠ ମାସ ଧରି ଦରମା ନାହିଁ ! ପୂର୍ବରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ Narendra Modi ଙ୍କୁ ଏ ବିଷୟରେ ଲେଖିଥିଲି; ସମ୍ପୃକ୍ତ ମନ୍ତ୍ରାଳୟ ରୁ ଅଳ୍ପ କିଛି ପ୍ରତିଶୃତି ବ୍ୟତୀତ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ପୂଜା ଆସି ଚାଲିଗଲାଣି! ପୁଞ୍ଜି ପ୍ରତ୍ୟାହାର ନାହିଁ। ଆଭ୍ୟନ୍ତରୀଣ କଳହ ଓ ବାହ୍ୟ ଅର୍ଥନୈତିକ ଦୁରବସ୍ଥା ର ବାତାବରଣ ରେ ପୁଞ୍ଜି ପ୍ରତ୍ୟାହାର ସମ୍ଭବ ହେବ କି? ପରିସ୍ଥିତି ନ ସୁଧୁରିବା ଯାଏଁ କର୍ମଚାରୀ ମାନେ ବିନା ଦରମାରେ ରହିବେ କି? ଏସବୁ ବିଭ୍ରାଟ ଲାଗି MMTC ସମ୍ପୂର୍ଣ୍ଣ ଭାବରେ ଦାୟୀ ଏବଂ ଶେଷକୁ ପୁଞ୍ଜି ପ୍ରତ୍ୟାହାର ବିଫଳ ହେଲେ ଉତ୍ତରଦାୟୀ ହେବା ଉଚିତ ବୋଲି ଅମର କହିଛନ୍ତି ।

Leave a Reply