ପଦାରେ ପଡ଼ିଲା ଦଳୀୟ କଳି; ଅପରାଜିତାଙ୍କୁ ଗୋ’ ବ୍ୟାକ୍‌ କହିଲେ ବିଜେପି କର୍ମୀ

ଭୁବନେଶ୍ୱର: ଜନସଂପର୍କ ପଦଯାତ୍ରା ସମୟରେ ପଦାରେ ପଡ଼ିଲ ବିଜେପିର ଦଳୀୟ କଳି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭରତପୁର ମଣ୍ଡଳ ବିଜେପି ପକ୍ଷରୁ ବିରୋଧ କରାଯାଇ କଳାପତାକା ପ୍ରଦର୍ଶନ କରାଯାଇଛି । ସେହିପରି ବୁଧବାର ପଦଯାତ୍ରା ସମୟରେ ବିଜେପି କର୍ମୀଙ୍କ ଭିତରେ ହିଂସାକାଣ୍ଡ ଘଟଣା ନୟାପଲ୍ଲୀ ଥାନାରେ ପହଞ୍ଚିଛି ।

ବିଜେପିର ଜନସଂପର୍କ ପଦଯାତ୍ରା ପହଞ୍ଚିଥିଲା ରାଜଧାନୀ ଭୁବନେଶ୍ୱରର ଭରତପୁର ବସ୍ତିରେ । ଫୁଲମାଳ ପକାଇ ସମର୍ଥକଙ୍କ ସହ ପଦଯାତ୍ରା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ହେଲେ ବସ୍ତିକୁ ପଶିବା ମାତ୍ରେ, ବିରୋଧର ସମ୍ମୁଖୀନ ହେଲେ ସାଂସଦ । ଭରତପୁର ବିଜେପି ମଣ୍ଡଳ ଅପରାଜିତା ବିରୋଧୀ ନାରା ଦେବା ଆରମ୍ଭ କଲା । ହାତରେ ଅପରାଜିତା ଗୋ’ ବ୍ୟାକ୍‌ର ପ୍ଲାକାର୍ଡ ଓ କଳାପତାକା ଦେଖାଇ ଅପରାଜିତା ଆଣ୍ଡ କୋ’ଙ୍କୁ ଫେରିଯିବାକୁ ସ୍ଥାନୀୟ ବିଜେପି କର୍ମୀ ଅଡ଼ି ବସିଲେ । ବେଶ୍ କିଛି ସମୟ ଯାଏଁ ବସ୍ତି ମଝିରେ ଅପରାଜିତା ବିଜେପି ଓ ଭରତପୁର ବିଜେପି କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଲା । ବାଧ୍ୟ ହୋଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରିଗଲେ ଅପରାଜିତା । ସାଧାରଣ ନିର୍ବାଚନ ପରଠାରୁ ଭରତପୁର ପାଇଁ ଅପରାଜିତା ବିକାଶ କାର୍ଯ୍ୟ କରିନଥିବା ସେମାନେ ଅଭିଯୋଗ କରିଥିଲେ । ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସାଂସଦଙ୍କ ବସ୍ତି ବୁଲା ଚାଲିଛି ବୋଲି କଟାକ୍ଷ କରିଛି ଭରତପୁର ମଣ୍ଡଳ ବିଜେପି ।

ବୁଧବାର ମଧ୍ୟ ବିଜେପି ପଦଯାତ୍ରାରେ ହିଂସାକାଣ୍ଡ ଘଟିଥିଲା । ସେହି ସମୟରେ ଯେତେବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବେହେରା ସାହିରେ ପଦଯାତ୍ରା କରୁଥିଲେ । ତାଙ୍କ ସହ ଥିବା ଦଳୀୟ କର୍ମୀ ଉମେଶ ଖଣ୍ଡେଲଓ୍ୱାଲଙ୍କୁ ମଧ୍ୟ ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ତାଙ୍କ ସମର୍ଥକ ମାଡ଼ ମାରିଥିବା ନେଇ ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ଭଲ କାମ କରିବା ଯୋଗୁଁ ଅପରାଜିତାଙ୍କ ନିକଟତର ହୋଇଥିବା କଥା ଜଗନ୍ନାଥ ସହି ପରୁନଥିବା ଉମେଶ କହିଛନ୍ତି । ଅନ୍ୟପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜଗନ୍ନାଥ । ତେବେ ଭୁବନେଶ୍ୱର ଜିଲ୍ଲା ସଭାପତି ଚୟନ ସମୟରୁ ହି ଅପରାଜିତା ଓ ଜଗନ୍ନାଥଙ୍କ ଭିତରେ କଳହର କଥା ଥମିନି । ହେଲେ ନିଜକୁ କେନ୍ଦ୍ରମନ୍ତ୍ରୀଙ୍କ ପାଖ ଲୋକ କହି ପୁଣି ଥରେ ପରୋକ୍ଷରେ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ଜଗନ୍ନାଥ ।

Leave a Reply