କୋଭିଡ କଟକଣା ମଧ୍ୟରେ ନୂଆ ବର୍ଷକୁ ସ୍ୱାଗତ କରିବେ ରାଜଧାନୀବାସୀ: ବନ୍ଦ ରହିବ ହୋଟେଲ, ରେଷ୍ଟୁରାଣ୍ଟ

ଭୁବନେଶ୍ୱର: ଚଳିତ ଥର କରୋନା କଟକଣା ମଧ୍ୟରେ ନୂଆ ବର୍ଷକୁ ସ୍ୱାଗତ କରିବେ ରାଜଧାନୀବାସୀ । ହୋଟେଲେ, ରେଷ୍ଟୁରାଣ୍ଟ, କ୍ଳବ୍ ଓ ପବ୍‌ରେ ଜିରୋ ନାଇଟ୍‌ ସେଲିବ୍ରେସନ୍ ବନ୍ଦ ଥିବା ବେଳେ ରାଜଧାନୀବାସୀ ନିଜ ନିଜ ଘରେ ବନ୍ଧୁ ବାନ୍ଧବ, ପରିବାର ଲୋକଙ୍କ ସହ ଜିରୋ ନାଇଟ ସେଲିବ୍ରେଟ କରିପାରିବେ । ଜରୋ ନାଇଟ୍ ସେଲିବ୍ରେସନ ନେଇ କୌଣସିଠାରେ ବଡ଼ ଧରଣର ଏକତ୍ରୀକରଣକୁ ବାରଣ କରିଛି ବିଏସ୍‌ସି । ଏ ନେଇ ଭୁବନେଶ୍ୱର ମ୍ୟୁନସିପାଲଟି କର୍ପୋରେସନ୍ ପକ୍ଷରୁ ଏକ ପରାମର୍ଶବଳୀ ଜାରି କରାଯାଇଛି । ଯେଉଁଥିରେ କୋଭିଡ କାରଣରୁ ନିଜ ନିଜ ଘରେ ସୀମିତ ଲୋକଙ୍କ ସହ ଜିରୋ ନାଇଟ୍ ସେଲିବ୍ରେସନ ନେଇ ପରାମର୍ଶ ଦିଆଯାଇଛି ।

ଅପରପକ୍ଷରେ  ଜିରୋ ନାଇଟକୁ ଦୃଷ୍ଟିରେ ରଖି କଡ଼ାକଡ଼ି ହେବ ସିକ୍ୟୁରିଟି । ରାଜଧାନୀରେ ନିୟୋଜିତ ହେବେ କମିଶନରେଟ ପୋଲିସର ୧୨ଟି ସ୍ପେଶାଲ ଟିମ୍ । ହୋଟେଲ କିମ୍ବା ପବରେ ଭିଡ଼ ଜମାଇଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ଏହା ବ୍ୟତୀତ ବ୍ଲକିଂ ଓ ଚେକିଂକୁ ମଧ୍ୟ ବ୍ୟାପକ କରାଯିବ ।

ଜିରୋ ନାଇଟରେ ଜିରୋ ଟଲେରାନ୍ସ । ଅମାନିଆ ହେଲେ ସାବାଡ଼ କରିବ ପୋଲିସ୍ । ଛକ ଛକରେ ଚେକିଂ ସାଙ୍ଗକୁ ହେବ ବ୍ଲକିଂ । ମଦୁଆଙ୍କୁ ଧରିବ ବ୍ରେଥ୍ ଆନାଲାଇଜର । ନୂଆବର୍ଷ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ବ୍ରିଟେନରେ କୋଭିଡ୍‌ର ଦ୍ୱିତୀୟ ସଂକ୍ରମଣ ଦେଖାଯିବା ପରେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜଧାନୀର ବିଭିନ୍ନ ପର୍ଯ୍ୟଟନସ୍ଥଳ, ପାର୍କ, ମାର୍କେଟ, ମଲ୍‌, ହୋଟେଲରେ ଜନଗହଳି ବଢ଼ିଛି । ଯାହାକୁ ନେଇ କମିଶନରେଟ୍ ପୋଲିସର ଚିନ୍ତା ବଢ଼ିଛି । ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟକୁ ସରକାର ଅନୁମତି ଦେଇନାହାଁନ୍ତି ।

Leave a Reply