ଶେଷ ହେଲା ଚକା ଜାମ, ଦିଲ୍ଲୀରେ ନାହିଁ ପ୍ରଭାବ

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧ କରି ଦେଶରେ ଶେଷ ହୋଇଛି ଚକାଜାମ ପ୍ରତିବାଦ । ଦିନ ୧୨ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସମଗ୍ର ଦେଶରେ ଆନ୍ଦୋଳନରତ ଚାଷୀ ଚକାଜାମର ଡାକରା ଦେଇଥିଲେ । ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ କୌଣସି ପ୍ରତିବାଦ ହୋଇନଥିବା ବେଳେ ବାକି ଅନ୍ୟ ରାଜ୍ୟ ମାନଙ୍କରେ ପ୍ରତିବାଦ ଶାନ୍ତି ପୂର୍ଣ୍ଣ ଭାବରେ ଶେଷ ହୋଇଥିବା ଜଣାପଡିଛି ।

ଦିଲ୍ଲୀରେ ଚକା ଜାମାର ଡାକରା ଦେଇଥିଲେ ବିଭିନ୍ନ କୃଷକ ସଂଗଠନ । ଆନ୍ଦୋଳନର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ଦିଆଯାଇଥିବା ଚକା ଜାମ ଡାକରାରୁ ଓହରିଯାଇଥିଲେ ଭାରତୀୟ କୃଷକ ମଜଦୁର ସଂଘର ନେତା ରାକେଶ ଟିକାୟତ । ସେହିପରି ଦିଲ୍ଲୀକୁ କୌଣସି ଚାଷୀ ଆନ୍ୟ ରାଜ୍ୟରୁ ନଆସିବା ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ ।

ସବୁଠାରୁ ବଡ ଖବର ହେଉଛି, ରାଜଧାନୀ ଦିଲ୍ଲୀରେ ଏହି ଆନ୍ଦୋଳନର ଡାକରା ଦିଆଯାଇଥିବା ବେଳେ କୌଣସି ପ୍ରକାର ପ୍ରଭାବ ମଧ୍ୟ ଏଠି ଦେଖବାକୁ ମିଳିନଥିଲା । ଦିଲ୍ଲୀକୁ କୌଣସି ଚାଷୀ ଆସିନଥିବା ବେଳେ ପ୍ରତିବାଦ କିମ୍ବା ଆନ୍ଦୋଳନର କୈଣସି ପ୍ରକାର ଛବି ମଧ୍ୟ ଦେଖିବାକୁ ମିଳିନଥିଲା । ସେପଟେ ଚକାଜାମ ନିଷ୍ପତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

୨୬ ଜାନୁଆରୀରେ ଟ୍ରାକ୍ଟର ରାଲିର ଅନୁମତି ନେଇ ଯେପରି ଦିଲ୍ଲୀରେ ହିଂସାକାଣ୍ଡ ଘଟିଲା, ସେସବୁର ପୁନରାବୃତ୍ତି କିପରି ନଘଟିବ ତାହା ଦିଲ୍ଲୀ ପୋଲିସ ପାଇଁ ଥିଲା ବଡ ଚ୍ୟାଲେଞ୍ଜ । ସମସ୍ତ ଦିଗକୁ ଲକ୍ଷ୍ୟ କରି ଦିଲ୍ଲୀ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ସମସ୍ତ ସୀମାରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ସେପଟେ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିବା ଜଣାପଡିଛି ।

Leave a Reply