ଚନ୍ଦ୍ରରୁ ଚୀନ୍ ଆଣିଛି ଏଲିୟନ ଭାଇରସ୍? ଜାଣନ୍ତୁ କ’ଣ ରହିଛି ସତ୍ୟାସତ୍ୟ

1 min read

ନିକଟରେ ଚନ୍ଦ୍ରରୁ ମାଟି ଆଣିଛି ଚୀନର ମହାକାଶ ଯାନ ଚାଙ୍ଗ୍-ଇ-୫ । ପ୍ରାୟ ୧୭୩୧ ଗ୍ରାମ ନମୁନାକୁ ଲ୍ୟାବରେ ଯାଂଚ ପାଇଁ ପଠାଯାଇଛି । ଚୀନ ମହାକାଶ ଏଜେନ୍ସି ଚାଇନା ନ୍ୟାସନାଲ ସ୍ପେସ୍ ଆଡମିନଷ୍ଟ୍ରେସନ ଅନୁସାରେ ଏହି ନମୁନା ଯାଂଚ ହେବାପରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ । ଚୀନ୍ ପୂର୍ବରୁ ଋଷ୍ ଏବଂ ଆମେରିକା ମଧ୍ୟ ଚନ୍ଦ୍ର ନମୁନା ଆଣିସାରିଛନ୍ତି । ଅବଶ୍ୟ ଆଉଟର ସ୍ପେସ୍ ଟ୍ରିଟୀ ଲଗାତାର ଏହି ଚେତାବନୀ ଦେଉଛିକି, ମହାକାଶରୁ ଆସିଥିବା କୌଣସି ପଦାର୍ଥ ଭୟାନକ ବିପଦ ଆଣିପାରେ । କିନ୍ତୁ ୨୦୨୦ ବର୍ଷ ଆରମ୍ଭରେ ବୈଜ୍ଞାନିକ ଦାବି କଲେଯେ, ଚନ୍ଦ୍ରରୁ ପୃଥିବୀକୁ ଆସିଛି ଏଲିୟନ ଭୂତାଣୁ । ତେବେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସିଛି । ଯାହା ଖୁବ ଆଶ୍ଚର୍ଯ୍ୟକର ।

୧୯୬୭ରେ ଆଉଟର ସ୍ପେସ୍ ଟ୍ରିଟି ବା ମହାକାଶ ଚୁକ୍ତି ଅନୁସାରେ, ମହାକାଶରୁ ପୃଥିବୀକୁ କୌଣସି ପଦାର୍ଥ ଆସିବ ନାହିଁ । କାରଣ ଏହାଦ୍ୱାରା ପୃଥିବୀକୁ କୌଣସି ପ୍ରକାରର କ୍ଷତି ପହଞ୍ଚିପାରେ । ଏଥିପାଇଁ ୧୯୬୯ରେ ମହାକାଶରୁ ଫେରିଥିବା ୧୧ ଆମେରିକୀୟ ମହାକାଶଚାରୀଙ୍କୁ ତୁରନ୍ତ ଡିକଣ୍ଟେମିନେସନ ଚ୍ୟାମ୍ବରରେ ବନ୍ଦ କରିଦିଆଯାଇଥିଲା ଏବଂ ସେଠାରେ ସେମାନଙ୍କୁ ତିନି ସପ୍ତାହ ପର୍ଯ୍ୟନ୍ତ ରଖାଗଲା । ମହାକାଶରୁ କୌଣସି ଭୂତାଣୁ ପୃଥିବୀକୁ ଆସିଛି କି ନାହିଁ ଜାଣିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା ।

ମହାକାଶରେ ଭାଇରସ ଥାଇପାରେ ଏବଂ ସେଠାରୁ ଭାଇରସ ଆସିପାରେ ବୋଲି ବୈଜ୍ଞାନିକ ଆଶଙ୍କା କରନ୍ତି । ଏଭଳି ପରିସ୍ଥିତିକୁ ନଜରରେ ରଖି ମହାକାଶକୁ ଯିବା ଏବଂ ସେଠାରୁ ଫେରିବା ସମୟରେ କୌଣସି ନମୁନା ନେଇ ଫେରିବାର ଏକ ବିଶେଷ ସେଫ୍ଟୀ ପ୍ରୋଟକଲ ରହିଥାଏ । ତେଣୁ ମହାକାଶ ଯାତ୍ରୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ପୃଥକ୍ କରି ରଖାଯାଏ । କେବଳ ସେତିକି ନୁହେଁ ସେମାନଙ୍କ ବ୍ୟବହାର ଏବଂ ଖାଦ୍ୟପେୟ ଉପରେ କଡ଼ା ନଜର ରଖାଯାଏ । ଯାଂଞ୍ଚ ଅବଧି ଶେଷ ହେବାପରେ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ମିଳେ ।

କେବଳ ମହାକାଶ ଯାତ୍ରୀ ନୁହଁନ୍ତି ବରଂ ମହାକାଶରୁ ଅଣାଯାଇଥିବା ନମୁନାକୁ ଲ୍ୟାବରେ ରଖାଯାଏ ଏବଂ ତାକୁ କାହାକୁ ମଧ୍ୟ ଛୁଇଁବାକୁ ଅନୁମତି ନଥାଏ । ସବୁଠାରୁ ଖାସ୍ କଥା ହେଉଛି ଉକ୍ତ ନମୁନାରେ କୌଣସି ପ୍ରକାରର ପରିବର୍ତ୍ତନ ଆସିଛି କି ନାହିଁ ଜାଣିବା ପାଇଁ ବିଶେଷଜ୍ଞ ଉକ୍ତ ନମୁନାକୁ ଦୂରରେ ଥାଇ ଅନୁଧ୍ୟାନ କରନ୍ତି ।

ନାସା ସର୍ବଦା ମହାକାଶରୁ ନମୁନା ଆଣିବା ପରେ ପ୍ରୋଟୋକଲକୁ ପାଳନ କରିବା ପାଇଁ କହିଥାଏ । ଏବର୍ଷ ଆରମ୍ଭରେ କରୋନା ଭୂତାଣୁ ମହାକାଶରୁ ଆସିଥିବା କୁହାଯାଉଥିଲା । ଶ୍ରୀଲଙ୍କା ଏଷ୍ଟ୍ରୋବାୟୋଲୋଜିଷ୍ଟ ଚନ୍ଦ୍ର ବିକ୍ରମା ସିଂ କରୋନାକୁ ଏଲିୟନର ଆଖ୍ୟା ଦେଇଥିଲେ । ଚୀନର ଉହାନରେ ଅକ୍ଟୋବରରେ ମହାକାଶରୁ ପଡ଼ିଥିବା ଉଲକାପିଣ୍ଡ ସାଙ୍ଗରେ ଭୂତାଣୁ ନେଇ ଆସିଥିଲା ଏବଂ ସ୍ପେସରୁ ଆସିଥିବା ସେହି ଭୂତାଣୁ ବିଶ୍ୱବ୍ୟାପୀ ମହାମାରୀର କାରଣ ସାଜିଛି ବୋଲି ସେ କହିଥିଲେ । କିନ୍ତୁ ଚନ୍ଦ୍ର ବିକ୍ରମା ସିଂଙ୍କ ଭାଇରସ ଏବଂ ସ୍ପେସ୍ କନେକ୍ସନ ଥିଓରିକୁ ଅନ୍ୟ ବୈଜ୍ଞାନିକମାନେ ଗ୍ରହଣ କଲେନାହିଁ ।

ରିପୋର୍ଟ କହୁଛି ଭାଇରସ ଏବଂ ବ୍ୟାକ୍ଟେରିଆ ପୃଥିବୀ ଉପରେ ଲଗାତାର ପଡ଼ନ୍ତି । ଏମାନଙ୍କ ସଂଖ୍ୟା ଦୈନିକ ୧ ରୁ ୨୦ ବିଲିୟନ ପର୍ଯ୍ୟନ୍ତ ହୋଇଥାଏ । ଏହା ପୃଥିବୀକୁ ଆସିବାମାତ୍ରେ ଉପର ସ୍ତରରେ ଜମା ହୋଇଯାଏ । କେବଳ ସେତିକି ନୁହେଁ ପୃଥିବୀର ଭିନ୍ନ ଭିନ୍ନ ସ୍ଥାନରେ ଏହା ଦେଖାଯାଇଥିବା କୁହାଯାଏ । ବିଶେଷକରି କାଲିଫର୍ଣ୍ଣିଆର ଉଚ୍ଚ ପାହାଡ଼ରେ । କୁହାଯାଏ ଏହି ଭୂତାଣୁ ବଞ୍ଚିବା ପାଇଁ ଅନ୍ୟର ଶରୀର ଲୋଡ଼ିଥାନ୍ତି । କିନ୍ତୁ ଉକ୍ତ ତଥ୍ୟକୁ ନେଇ ବୈଜ୍ଞାନିକଙ୍କୁ କୌଣସି ପ୍ରକାରର ପ୍ରମାଣ ମିଳିନାହିଁ । ଏହା ଉପରେ ଏବେ ମଧ୍ୟ ଗବେଷଣା ଜାରି ରହିଛି । ମହାକାଶରୁ ଭୂତାଣୁ ଆସେ କି ନାହିଁ ଏକଥା ଏବେ ମଧ୍ୟ ରହସ୍ୟ ଘେରରେ ରହିଛି ।

ତେବେ ଉକ୍ତ ଘଟଣାରେ କେତେ ସତ୍ୟାସତ୍ୟ ରହିଛି ତାହା ତ ଭବିଷ୍ୟତ କହିବ, କିନ୍ତୁ ଭୂତାଣୁଯେ ବିଶ୍ୱ ଉପରେ ଦାଉ ସାଜିଛି ତାହା କହିବା ଭୁଲ ହେବନାହିଁ ।

Leave a Reply