ଲୋକଙ୍କ ମନରେ ବଡ଼ ପ୍ରଶ୍ନ, ବଦଳିପାରିବ କି ଟିକା ବ୍ରାଣ୍ଡ ? ଜାଣନ୍ତୁ ଉତ୍ତର..

Covaxin Covishield

ନୂଆଦିଲ୍ଲୀ: ଦେଶରେ ସୋମବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇସାରିଛି । ୬୦ ବର୍ଷଠାରୁ ଅଧିକ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହୋଇଛି । ଏହ ସହ ଗମ୍ଭୀର ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ମଧ୍ୟ ଭ୍ୟାକ୍ସିନ୍ ଦିଆଯାଉଛି । ତେବେ ସବୁଠାରୁ ବଡ଼ କଥା ହେଲା କରୋନା ମହାମାରୀ ସହ ଲଢ଼େଇ ଚାଲିଥିବା ବେଳେ ଏବେ ଘରୋଇ ହସ୍ପିଟାଲରେ ମଧ୍ୟ ଭ୍ୟାକ୍ସିନ ଦିଆଯାଉଛି।

ବର୍ତ୍ତମାନ ଭାରତରେ ଯେଉଁ ଭ୍ୟାକ୍ସିନ୍ ଦିଆଯାଉଛି, ତା’ର ଅତି କମ୍ରେ ଦୁଇଟି ଡୋଜ୍ ନେବା ଜରୁରୀ । ଭ୍ୟାକ୍ସିନ୍ର ଦୁଇଟି ଡୋଜ୍ ମଧ୍ୟ ଅନ୍ତର ଅନ୍ୟୁନ ମାସେ ରହିବ ବୋଲି କୁହାଯାଉଛି । ତେବେ ଟିକାକରଣର ଏହି ପ୍ରକ୍ରିୟାକୁ ନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଛି । ଆଉ ତାହା ହେଉଛି, ଯଦି ଗୋଟିଏ ବ୍ୟକ୍ତି ନିଜ ଗାଁରେ ପ୍ରଥମ ଡୋଜ୍ ନେଇଛି କିନ୍ତୁ ପରେ କୌଣସି କାମରେ ତାକୁ ଗାଁ ଛାଡ଼ି ଅନ୍ୟସ୍ଥାନକୁ ଯିବାକୁ ପଡ଼ିବ । ତେବେ ଏଭଳି ପରିସ୍ଥିତିରେ ସେ କ’ଣ କରିବ ? ଅନ୍ୟ ସହରରେ ଅନ୍ୟ ଏକ ଟିକାକରଣ କେନ୍ଦ୍ରରେ ସେ ଅନ୍ୟ ଟିକାର ଦ୍ୱିତୀୟ ଡୋଜ୍ ନେଇପାରିବ କି ? ଯେଉଁଠି ପ୍ରଥମ ଡୋଜ୍ ସେଇଠି ହିଁ ନେବାକୁ ପଡ଼ିବ ଦ୍ୱିତୀୟ ଡୋଜ୍ ।

ଏକ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଗାଜିଆବାଦ ସ୍ଥିତ ଯଶୋଦା ହସ୍ପିଟାଲର ନୋଡାଲ ଅଫିସର୍ ଡକ୍ଟର ରୂବି ବଂଶଲ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ଗୋଟିଏ ବ୍ରାଣ୍ଡର ପ୍ରଥମ ଡୋଜ୍ ନେଉଛି ତେବେ ତାହା ଅଟୋମେଟିକ୍ ଦ୍ୱିତୀୟ ଡୋଜ୍ ପାଇଁ ପଞ୍ଜିକରଣ ହୋଇଥାଏ । ତେଣୁ ଉକ୍ତ ବ୍ୟକ୍ତିକୁ ସେହି ସମାନ ଟିକାକରଣ କେନ୍ଦ୍ରରେ ହିଁ ଦ୍ୱିତୀୟ ଟିକା ନେବାକୁ ପଡ଼ିବ ।

ଡଃ ବଂଶଲ ଆହୁରି କହିଛନ୍ତି ଯେ, ସରକାର ଏବେ ସୁଦ୍ଧା ସେଭଳି କୌଣସି ଗାଇଡ୍ଲାଇନ୍ ପ୍ରସ୍ତୁତ କରିନାହାନ୍ତି ଯେଉଁଥିରେ କି, ଅନ୍ୟ ସ୍ଥାନରେ କିମ୍ବା ଅନ୍ୟ ରାଜ୍ୟରେ ଜଣେ ବ୍ୟକ୍ତି ଟିକା ନେଇପାରିବ । ଟିକା ନେବା ପାଇଁ ୪ରୁ ୬ ସପ୍ତାହ ସମୟ ଦିଆଯାଇଛି । ଯଦି ଜଣେ ବ୍ୟକ୍ତି ୨୮ ଦିନ ଭିତରେ ଦ୍ୱିତୀୟ ଡୋଜ୍ ନେଇପାରିଲେ ନାହିଁ ତେବେ ସେ ୬ ସପ୍ତାହ ମଧ୍ୟରେ ଟିକା ନେଇପାରିବେ ।

ପ୍ରଥମ ଓ ଦ୍ୱିତୀୟ ଡୋଜରେ ଭ୍ୟାକ୍ସିନ୍ ବ୍ରାଣ୍ଡ ବଦଳାନ୍ତୁ ନାହିଁ
ଡଃ ବଂଶଲ ଆହୁରି ମଧ୍ୟ ସ୍ପଷ୍ଟା ଭାବେ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ପ୍ରଥମ ଡୋଜ୍ କୋଭାକ୍ସିନ୍ ଗ୍ରହଣ କରିଛି । ତେବେ ତାକୁ ଦ୍ୱିତୀୟ ଡୋଜ୍ରେ ମଧ୍ୟ ସେହି ଟିକା ନେବା ଆବଶ୍ୟକ । ସେହିଭଳି ଯଦି ଜଣେ ପ୍ରଥମ ଡୋଜ୍ରେ କୋଭିସିଲ୍ଡ ଟିକା ନେଇଛି ତେବେ ସେ ଦ୍ୱିତୀୟ ଡୋଜ୍ କୋଭିସିଲ୍ଡ ହିଁ ନେବା ଉଚିତ୍ ।

Oxford's Covishield gets emergency use approval in India

ଟିକାକରଣରେ ସମୟ ଲାଗୁଛି, ତେଣୁ ହାତରେ ସମୟ ରଖି ଆସନ୍ତୁ
ଡଃ ବଂଶଲଙ୍କ କହିବାନୁଯାୟୀ, ଟିକାକରଣରେ ପ୍ରାୟ ଏକ ଘଣ୍ଟା ସମୟ ଲାଗିବ । କାରଣ ଟିକା ଦିଆଯିବା ପରେ କେବଳ ଅଧଘଣ୍ଟା ପର୍ଯ୍ୟନ୍ତ ଅବଜରଭେସନ୍ରେ ରଖାଯାଏ । ତେଣୁ ଯିଏ ବି ଆସୁଛନ୍ତି ଟିକା ନେବାକୁ ସେମାନେ ନିଜ ପାଖରେ ସମୟ ରଖି ଆସନ୍ତୁ । ତରବରିଆ ଭାବେ ଟିକା ନେବା ପାଇଁ ଆସନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ଶେଷରେ ଡଃ ରୁବି ବଂଶଲ କହିଛନ୍ତି ଯେ, ଟିକାକରଣ କେନ୍ଦ୍ରକୁ ଯିବା ପୂର୍ବରୁ ସମସ୍ତେ ରେଜିଷ୍ଟ୍ରେସନ୍ କରି ଯାଆନ୍ତୁ । ନଚେତ୍ ସେଠାରେ ଅଧିକ ଭିଡ଼ ଜମିବ ଓ ବିଳମ୍ବ ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ଭାରତ ସରକାରଙ୍କ କୋଓ୍ୱିନ୍ ଆପ୍ ଜରିଆରେ ନିଜର ଭୋଟର ଆଇକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଆଧାରକାର୍ଡ ତଥା ନିଜର କୌଣସି ପରିଚୟ ପତ୍ର ଅପ୍ଲୋଡ୍ କରି ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବା ଆବଶ୍ୟକ । ଆଉ ସେହି ଆପ୍ ଜରିଆରେ ହିଁ ଆପଣଙ୍କୁ ଆପଣଙ୍କ ସୁବିଧା ଅନୁଯାୟୀ ଟିକାକରଣ କେନ୍ଦ୍ର ଚିହ୍ନଟ କରିବା ଆବଶ୍ୟକ ।

Leave a Reply