୧୯ ଯାଏଁ ବିଧାନସଭାରେ କୋଭିଡ୍‌ ଟେଷ୍ଟ, ୨୦ରୁ ଶୀତ ଅଧିବେଶନ

ଭୁବନେଶ୍ୱର: ୨୦ରୁ ଶୀତ ଅଧିବେଶନ ଆରମ୍ଭ । ଏହା ପୂର୍ବରୁ ମଙ୍ଗଳବାରଠାରୁ ବିଧାନସଭାରେ ୩ ଦିନ ଧରି ହେବ କୋଭିଡ ଟେଷ୍ଟ୍‌ । ବିଧାୟକ, ମନ୍ତ୍ରୀ, ସୁରକ୍ଷାକର୍ମୀ ଓ ସାମ୍ୱାଦିକଙ୍କ କୋଭିଡ୍‌ ପରୀକ୍ଷା କରାଯିବ । ଏଥିପାଇଁ ବିଧାନସଭା ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଏମ୍‌ସି ସବୁପ୍ରକାର ବ୍ୟବସ୍ଥା କରୁଛି । ସକାଳ ସାଢ଼େ ୮ଟାରୁ ବିଧାନସଭା ପରିସରରେ କୋଭିଡ ଟେଷ୍ଟ ହେବ । ୧୯ ତାରିଖ ଯାଏଁ କୋଭିଡ୍‌ ଟେଷ୍ଟ ହେବ ।

ଅନ୍ୟପଟେ ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସକାଳ ୧୧ଟାରେ ବସିବ ବୈଠକ । ବିଧାନସଭା ଶୀତକାଳୀନ ଅଧିବେଶନ ପରିଚାଳନା କିପରି ହେବ, ସେ ନେଇ ହେବ ଆଲୋଚନା । ମୁଖ୍ୟତଃ ଚଳିତ ଅଧିବେଶନରେ ଗୃହ ଭିତରେ ତାରକା ପ୍ରଶ୍ନ ଉପରେ ଆଲୋଚନା ହେବ ନା ନାହିଁ, ସେ ନେଇ ମତାମତ ନିଆଯିବ । ସେହିଦିନ ଦୁଇ ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ଶପଥ ନେବେ । ଏଥର ମଧ୍ୟ ବିଧାନସଭାରେ ଗୋଟିଏ ପ୍ରସଙ୍ଗରେ ଦୁଇ ଦିନ ମୁଲତବୀ ପ୍ରସ୍ତାବ ଆଲୋଚନା ଆସି ପାରିବ ନାହିଁ । ତେବେ ଗତ ଅଧିବେଶନ ପରି ଚାଲିବ ଅଧିବେଶନ । ଦୈନିକ ୨ଟି ପର୍ଯ୍ୟାୟରେ ଚାଲିବ ଗୃହକାର୍ଯ୍ୟ ।

ତେବେ ବିଧାନସଭାରେ ପ୍ରଶ୍ନଉତ୍ତର କାଳ ରହିବା ଦରକାର । ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପନ କରିବେ ବିଧାୟକ । ସଂସଦୀୟ ଢାଞ୍ଚାକୁ ଦେଖି ଗତ ଥର ବାଚସ୍ପତି ଏହା କରିନଥିଲେ । କରୋନା କମିଥିବାରୁ ଅଧିବେଶନ ୫ ଘଣ୍ଟାକୁ ବୃଦ୍ଧି ହେଉ ଏବଂ ସମସ୍ତଙ୍କୁ କହିବାର ସୁଯୋଗ ମିଳୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

Leave a Reply