ପ୍ରକାଶ ପାଇଲା ଯୁକ୍ତ ୩ ଆଡ୍‌ମିଶନ ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୩ ଆଡ୍‌ମିଶନ ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ଚଳିତବର୍ଷ ନାମ ଲେଖାଇବା ପାଇଁ ଆବେଦନ କରିଛନ୍ତି ୨ ଲକ୍ଷ ୧୩ ହଜାର ୯୫୯ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୫୮ ହଜାର ୫୪୦ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କଳାରେ ନାମ ଲେଖାଇବେ ୯୫ ହଜାର ୬୪୯ । ସେଲ୍‌ଫ ଫାଇନାନ୍‌ସିଂ କୋର୍ସରେ ୧ ହଜାର ୮୧, ବାଣିଜ୍ୟରେ ୧୬ ହଜାର ୬୮୨, ସଂସ୍କୃତରେ ୩ ହଜାର ୮୧୮, ଫିଜିକ୍ସରେ ୨୩ ହଜାର ୮୧୭ ଓ ବାୟୋଲୋଜିରେ ୪୯୩ ଜଣ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି ।

କଳା ଭୂଗୋଳ ବିଭାଗରେ ୯୩ ପ୍ରତିଶତ କଟ ଅଫ ମାର୍କ ସହ ଆଗରେ ରହିଛି ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ । ଫିଜିକାଲ୍ ସାଇନ୍ସର ଗଣିତ ବିଭାଗରେ ୯୫ ଦଶମିକ ୩ ପ୍ରତିଶତ ସହ ଆଗରେ ରହିଛି ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ । ବାୟୋଲୋଜି ସାଇନ୍ସର ପ୍ରାଣୀ ବିଜ୍ଞାନରେ ୯୫ ଦଶମିକ ୫ ପ୍ରତିଶତ ସହ ବିଜେବି କଲେଜ ୧ ନମ୍ବରରେ ରହିଛି ।

ବାଣିଜ୍ୟରେ ମଧ୍ୟ ୯୮ଦଶମିକ ୬୭ ପ୍ରତିଶତ ସହ ବିଜେବି କଲେଜ ଆଗରେ ରହିଛି । ମୋଟ ୧ହଜାର ୨୯ଟି  ଶିକ୍ଷାନୁଷ୍ଠାନରେ ନାମଲେଖା ହେବ।  ଆସନ୍ତା ୧ ତାରିଖ ସୁଦ୍ଧା ଅନଲାଇନ୍‌ରେ ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀ । ଆସନ୍ତାକାଲି ୨୯ ତାରିଖରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ଅକ୍ଟୋବର ୮ ତାରିଖରେ ପ୍ରକାଶ ପାଇବ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ।

Leave a Reply