ନିଜ ଶ୍ୱଶୂରକୁ ବଳି ଦେଲା ବୋହୂ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର କୌଶାଂବୀ ଅଞ୍ଚଳରେ ଗୁଣି ଗାରେଡ଼ିରେ ବିଶ୍ୱାସ କରି ନିଜ ଶ୍ୱଶୂରର ହତ୍ୟା କରିଛି ବୋହୂ । ନିଜ ଦିବ୍ୟାଙ୍ଗ ଶ୍ୱଶୂରର ହତ୍ୟା ମାମଲାରେ ବୋହୂ ମୁଖ୍ୟ ଅଭିଯୁକ୍ତ ଥିବା ପୋଲିସ ସୂଚନାରୁ ଜଣାପଡ଼ିଛି । ତେବେ ବୋହୂର ଏପରି ଜଘନ୍ୟ କାଣ୍ଡରେ ପୁରା ଅଞ୍ଚଳ ସ୍ତବ୍ଧ ହୋଇଉଠିଛି ।

ସୂଚନା ଅନୁଯାୟୀ କୌଶାଂବୀର ସରାୟ ଅକିଲ ଅଞ୍ଚଳରେ କିଛି ଦିନ ପୂର୍ବରୁ ଜଣେ ଦିବ୍ୟାଙ୍ଗ ବୃଦ୍ଧଙ୍କୁ ହତ୍ୟା କରାଯାଇଥିଲା । ଅକରାବାଦର ଗୌହାଲୀ ଗାଁରେ ଗୁରୁବାର ଦିନ ଘର ବାହାରେ ଶୋଇଥିବା ଦିବ୍ୟାଙ୍ଗ ବୃଦ୍ଧ ଭଗବାନ ଦାଶଙ୍କ ଗାଳାକାଟି ହତ୍ୟା କରାଯାଇଥିଲା । ଘଟଣା ଘଟିବାବେଳ ପରିବାରର ଅନ୍ୟ ସଦସ୍ୟ ପାଖ ଗାଁକୁ ଏକ ଆୟୋଜନରେ ସାମିଲ ହେବାକୁ ଯାଇଥିଲେ  ।

ସକାଳେ ଘରଲୋକ ଘରକୁ ଫେରିବା ପରେ ଘଟଣା ଦେଖି ସ୍ତବ୍ଧ ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା କରିବା ପରେ ପ୍ରଥମେ ବୋହୂ ଉପରେ ସନ୍ଦେହ କରାଯାଇଥିଲା । ଘଟଣାସ୍ଥଳରେ ଥିବା ପୂଜା ସାମଗ୍ରୀ ଦେଖି ବଳି ଦିଆଯାଇଥିବା ପୋଲିସ ସନ୍ଦେହ କରିଥିଲା । ଘଟଣା ସମୟରେ ଘରେ ଉପସ୍ଥିତ ଥିବା ବୋହୂକୁ ଯେତେବେଳେ ପୋଲିସ ପଚରାଉଚରା କରିଥିଲା, ସେତେବେଳେ ଅନେକ ଆଶ୍ଚର୍ଯ୍ୟ କଲାଭଳି କଥା ସାମ୍ନାକୁ ଆସିଥିଲା ।

ପୋଲିସର ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଦାବି କରିଥିଲେ ଯେ, ତାଙ୍କ ଦେହରେ ଠାକୁରାଣୀଙ୍କ ଅବସ୍ଥିତି ରହିଛି ଓ ସେଥିପାଇଁ ସେ ସବୁବେଳେ ଗୁଣି ଗାରେଡ଼ିରେ ଲିପ୍ତ ରହୁଥିଲେ । ଠାକୁରାଣୀଙ୍କ ନିର୍ଦ୍ଦେଶ କ୍ରମେ ସେ ସମସ୍ତ କାମ କରୁଥିବା ପୋଲିସକୁ ସୂଚନା ଦେଇଥିଲେ । ମହିଳାଙ୍କ ଶ୍ୱଶୂର ଦୀର୍ଘ ୩ ବର୍ଷ ହେବ ପାରାଲିସିସ୍ ରେ ପୀଡ଼ିତ ଥିବାରୁ ତାଙ୍କୁ ସବୁବେଳେ ଶ୍ୱଶୂରଙ୍କୁ ସେବା କରିବାକୁ ପଡ଼ିଥାଏ । ସବୁବେଳେ ଶ୍ୱଶୂରଙ୍କ ସେବା କରିବା ଦ୍ୱାରା ତନ୍ତ୍ର ମନ୍ତ୍ର କ୍ରିୟାରେ ବାଧା ସୃଷ୍ଟି ହେଉଥିବା ମହିଳା ଜଣଙ୍କ କହିଥିଲେ ।

ପୋଲିସ ସୂଚନା ମୁତାବକ, ତନ୍ତ୍ର ମନ୍ତ୍ର ପ୍ରକ୍ରିୟାରେ ସିଦ୍ଧି ପ୍ରାପ୍ତି ପାଇଁ ମହିଳା ଜଣଙ୍କ ନିଜ ଶ୍ୱଶୂରର ହତ୍ୟା କରିଛି । ମହିଳା ଜଣଙ୍କ ଲୋକଙ୍କୁ କହୁଥିଲା ଯେ, ତା ଦେହରେ ଠାକୁରାଣୀଙ୍କ ଅବସ୍ଥିତି ରହିଛି । ଗୁଣିଗାରେଡ଼ି ଅଭ୍ୟାସ କରିବା ପାଇଁ ମହିଳା ଜଣଙ୍କ ଶ୍ୱଶୂରଙ୍କ ସେବା କରୁନଥିଲା । ଏହା ପରେ ସେ ନିଜ ଶ୍ୱଶୂରଙ୍କର ବଳି ଦେଇଥିଲା । ବର୍ତ୍ତମାନ ଅଭିଯୁକ୍ତ ବୋହୂକୁ ପୋଲିସ ନ୍ୟାୟିକ ହେପାଜତରେ ରଖିଛି ।

Leave a Reply