ଅନିର୍ଦ୍ଧିଷ୍ଟ କାଳ ପାଇଁ ଟ୍ରମ୍ପଙ୍କ ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ବ୍ଲକ୍‌

1 min read

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍‌ । ଟ୍ରମ୍ପଙ୍କ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି । ତେବେ ଆନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅର୍ଥାତ୍‌ ଅନ୍ୟୁତ ଦୁଇ ସପ୍ତାହ ପାଇଁ ଟ୍ରମ୍ପଙ୍କ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ବ୍ଲକ୍‌ କରାଯାଇଛି ।

ଆମେରିକାରେ ଜରୁରୀକାଳିନ ପରିସ୍ଥିତି ଉପୁଜିଥିବା ବେଳେ, ଏଥିପାଇଁ ଟ୍ରମ୍ପଙ୍କୁ ଦାୟୀ କରାଯାଇଛି ।  ଏନେଇ ଜୁକର ବର୍ଗ ମଧ୍ୟ ନିଜେ ଫେସ୍‌ବୁକ୍‌ରେ ଲେଖି ପୋଷ୍ଟ କରିଛନ୍ତି । କାରଣ ଆମେରିକା କଂଗ୍ରେସ ଗୁରବାର ଜୋ ବାଇଡେନ୍‌ଙ୍କ ବିଜୟ ଉପରେ ସାମ୍ବିଧାନିକ ମୋହର ମାରିଥିଲା । ଏହା ସହ୍ୟ ନକରିପାରି ଟ୍ରମ୍ପଙ୍କ ସମର୍ଥକମାନେ ବର୍ବର କାଣ୍ଡ ଭିଆଥିଲେ । ଯେଉଁଥିରେ ୪ ଜଣଙ୍କ ଜୀବନ ଯାଇଥିଲା । ଏନେଇ ଖୋଦ୍‌ ଜୁକର ବର୍ଗ ମଧ୍ୟ ଫେସ୍‌ବୁକ୍‌ ପୋଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ଆମେରିକାର କ୍ୟାପିଟାଲ ହିଲ୍‌ରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣ ପରେ, ରାଷ୍ଟ୍ରପତିଙ୍କୁ ତାଙ୍କ କାର୍ଯ୍ୟକାଳ ସରିବାର ୧୪ ଦିନ ପୂର୍ବରୁ ବିଦା କରାଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । କ୍ୟାପିଟାଲ ହିଲ୍ ସେହି ବିଲ୍ଡିଂ ଯେଉଁଠାରେ ଆମେରିକା କଂଗ୍ରେସର ଦୁଇ ଗୃହର ସଦସ୍ୟ ବସିଥାନ୍ତି । ଏହି ବିଲ୍ଡିଂ ଉପରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣକୁ ଆମେରିକୀୟ ଗଣତନ୍ତ୍ର ଉପରେ ଆକ୍ରମଣ ଭାବେ ଗ୍ରହଣ କରାଯାଉଛି । ଏହି ଆକ୍ରମଣ ପାଇଁ ଟ୍ରମ୍ପଙ୍କ ଜିଦ୍‌କୁ ଦାୟୀ କରାଯାଉଛି । ତେଣୁ ଅନେକ ସାଂସଦ ଓ ରାଜ୍ୟପାଳ ଟ୍ରମ୍ପଙ୍କୁ ୧୪ ଦିନ ଆଗରୁ ବିଦା କରିବାକୁ ଚାହୁଁଛନ୍ତି । ତାଙ୍କ ବିରୋଧରେ ମହାଭିଯୋଗ କିମ୍ବା ସମ୍ବିଧାନର ୨୫ତମ ସଂଶୋଧନ ପ୍ରୟୋଗ କରିବା କଥା କୁହାଯାଉଛି ।

୨୦ ଜାନୁଆରୀ ଦିନ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ କାର୍ଯ୍ୟଭାର ସମ୍ଭାଳିବେ । ଯାହାର ଅର୍ଥ ହେଉଛି ଟ୍ରମ୍ପ ଆଉ ମାତ୍ର ୧୪ ଦିନ ପାଇଁ ରାଷ୍ଟ୍ରପତି । କିନ୍ତୁ ବୁଧବାର ଦିନ କ୍ୟାପିଟାଲ ହିଲରେ ହୋଇଥିବା ହିଂସା ପାଇଁ ତାଙ୍କୁ ଦାୟୀ କରାଯାଉଛି । ଜାନୁଆରୀ ୬ ତାରିଖ ଦିନ ବାଇଡେନଙ୍କ ବିଜୟ ଉପରେ ମୋହର ଲଗାଇବା ପାଇଁ ଦୁଇ ଗୃହର ସଦସ୍ୟ ଏକଠି ହୋଇଥିଲେ । କିନ୍ତୁ ଟ୍ରମ୍ପ ସମର୍ଥକ ଏହାକୁ ରୋକିବା ପାଇଁ ସଂସଦ ଉପରେ ହମଲା କରିଥିଲେ । ଏହି ଘଟଣା ପୂର୍ବରୁ ଟ୍ରମ୍ପ ଏମିତି ଗୋଟିଏ ଟ୍ୱିଟ୍ କରିଥିଲେ ଯାହା ସମର୍ଥକଙ୍କୁ ହିଂସା କରିବାକୁ ଉତ୍ସାହିତ କରିଥିଲା ବୋଲି ବିରୋଧୀ କହୁଛନ୍ତି । ଏମିତିରେ ସେମାନେ ଟ୍ରମ୍ପଙ୍କୁ ଦୁଇ ସପ୍ତାହ ଯାଏ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁନାହାନ୍ତି ।

Leave a Reply