Farm Laws: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ କୃଷକ କହିଲେ ଆଲୋଚନା ପାଇଁ ପ୍ରସ୍ତୁତ, ତାରିଖ ଦିଅନ୍ତୁ ସରକାର

1 min read
Farm Laws After PM Modi’s Invite Farmer Leaders Ask Govt To Choose Date And Time

ନୂଆଦିଲ୍ଲୀ: ପୁଣି ଆଲୋଚନା ପାଇଁ କେନ୍ଦ୍ରକୁ ତାରିଖ ମାଗିଲେ କୃଷକ । ନଭେମ୍ବରରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଥିବା କୃଷକ ସଂଗଠନ ପୁଣି ଆଲୋଚନା ପାଇଁ ରାଜି ହୋଇଛନ୍ତି । ସୋମବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ମୋଦି ଅଭିଭାଷଣ ରଖିଥିଲେ । କୃଷକଙ୍କୁ ଆନ୍ଦୋଳନ ଶେଷ କରିବାକୁ ଅନୁରୋଧ କରିବା ସହ ଆନ୍ଦୋଳନ ପରିବର୍ତ୍ତେ ଏହାକୁ ଆଲୋଚନାରେ ସମାଧାନ କରାଯିବା ଉଚିତ୍ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ କୃଷକ ସରକାରଙ୍କୁ ଆଲୋଚନା ଲାଗି ତାରିଖ ମାଗିଛନ୍ତି ।

ସଂଯୁକ୍ତ କିଶାନ ମୋର୍ଚ୍ଚାର ବରିଷ୍ଠ ନେତା ଶିବ କୁମାର କକ୍କା କହିଛନ୍ତି- କୃଷକ ସଂଗଠନ ପରବର୍ତ୍ତୀ ପର୍ଯ୍ୟାୟ କଥାବାର୍ତ୍ତା ଲାଗି ପ୍ରସ୍ତୁତ ଅଛନ୍ତି । ସରକାର ଆଲୋଚନା ଲାଗି ତାରିଖ ଓ ସମୟ ଦିଅନ୍ତୁ । ଯେତେବେଳେ ବି ସରକାର ଆଲୋଚନା ପାଇଁ ଡାକିଛନ୍ତି, ଆମେ ମନା କରିନାହୁଁ । ଆମେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ । କୃଷକଙ୍କ ସହ ୧୧ ପର୍ଯ୍ୟାୟ ଆଲୋଚନା ବେଳେ ୩ କାନୁନକୁ ୧୨ରୁ ୧୮ ମାସ ଲାଗି ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ । ଯାହାକୁ ଖାରଜ କରିଥିଲେ କୃଷକ ।

ରାଜ୍ୟସଭାକୁ ସମ୍ବୋଧିତ କଲା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି- ‘ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଅଛି ଓ ରହିବ । ଗରିବଙ୍କୁ ଶସ୍ତା ଚାଉଳ ମିଳୁଛି ଏବଂ ମଣ୍ଡିକୁ ଆଧୁନିକୀକରଣ କରାଯିବ ।’ ପ୍ରଧାନମନ୍ତ୍ରୀ କୃଷକଙ୍କୁ ଅପିଲ୍ କରି କହିଥିଲେ- ପ୍ରଦର୍ଶନ କରିବା ଆପଣଙ୍କ ଅଧିକାର । କିନ୍ତୁ, ଧାରଣରେ ଏଭଳି ଭାବେ ବୃଦ୍ଧ ବା ବୟସ୍କ ବସିବା ଠିକ୍ ନୁହେଁ । ଆନ୍ଦୋଳନ ଭାଙ୍ଗିବା ପାଇଁ ଅନୁରୋଧ କରି ମୋଦି କହିଥିଲେ- ପ୍ରଦର୍ଶନକାରୀ ଆନ୍ଦୋଳନ ବନ୍ଦ କରନ୍ତୁ । ଆମେ ସମସ୍ତେ ମିଶିକରି ସମସ୍ୟାର ସମାଧାନ ଖୋଜିବା ଏବଂ ଆଲୋଚନା ପାଇଁ ସମସ୍ତ ବିକଳ୍ପ ଖୋଲା ଅଛି । ଗୃହରୁ ଆଲୋଚନା ପାଇଁ ପୁଣି ଆମନ୍ତ୍ରଣ କରୁଛି ।

ସୂଚନାଯୋଗ୍ୟ, ସରକାରଙ୍କ ସହ କୃଷକ ସଂଗଠନର ୧୧ ପର୍ଯ୍ୟାୟ ଆଲୋଚନା ସରିଥିବା ବେଳେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । କୃଷକ ଓ ସରକାର ଉଭୟ ପକ୍ଷ ନିଜ ନିଜ ଜିଦରେ ଅଡ଼ି ବସିଛନ୍ତି । ତିନି କୃଷି ବିଲକୁ ସରକାର ପ୍ରତ୍ୟାହାର କରିନେବା ଓ ଏମଏସପି ଦାବିରେ ଅଡ଼ି ବସିଛନ୍ତି କୃଷକ ସଂଗଠନ ।

Leave a Reply