ସିନ୍ଧୁ ସୀମା ଜାମ୍: ଅମଙ୍ଗ ଚାଷୀ, ସ୍ଥିତି ଅଣାୟତ୍ତ

ନୂଆଦିଲ୍ଲୀ: ଚାଷୀ ଗର୍ଜନରେ ରାଜଧାନୀ ଅସ୍ତବସ୍ତ ହେଲାଣି । ସରକାର ପ୍ରଥମେ ଚାଷୀଙ୍କୁ ଦିଲ୍ଲୀ ଭିତରକୁ ପ୍ରବେଶ କରାଇବାକୁ ମନା କରୁଥିଲେ । ମାତ୍ର ସଂଖ୍ୟାବଳ ଓ ଆକ୍ରୋଶ ଦେଖି ବାଧ୍ୟ ହୋଇ ଅନୁମତି ଦେଲେ । ହେଲେ ଏବେ ସ୍ଥିତି ଓଲଟା । ଦିଲ୍ଲୀ ପୋଲିସ ରାଜଧାନୀ ଭିତରକୁ ଯିବା ପାଇଁ କହୁଥିଲେ ମଧ୍ୟ ଚାଷୀ ଏବେ ରାଜଧାନୀ ମାଡ଼ିବାକୁ ନାରାଜ । ଯଥେଷ୍ଟ ସଜବାଜ କରି ଏକ ବଡ ଧରଣର ବିକ୍ଷୋଭ ପାଇଁ ଚାଷୀମାନେ ଦିଲ୍ଲୀ ଆସିଛନ୍ତି ।

ମାତ୍ର ହରିୟାଣା ସୀମା ସିଲ୍ ହେବା ପରେ ଏମାନେ ଅଲଗା ଅଲଗା ହୋଇଯାଇଛନ୍ତି । ଭିନ୍ନ ଭିନ୍ନ ରୁଟ୍ ଦେଇ ଅନେକ ଦିଲ୍ଲୀ ସୀମାରେ ପହଞ୍ଚିଛନ୍ତି ସତ ମାତ୍ର ଏକାଠି ହୋଇପାରିନାହାନ୍ତି । ତେଣୁ ସବୁ ଚାଷୀ ପ୍ରଥମେ ଏକାଠି ହୋଇ ସଂଖ୍ୟାବଳ ଗୋଟାଇବା ପାଇଁ ଚେଷ୍ଟା କରୁଛନ୍ତି । ମାତ୍ର ଦିଲ୍ଲୀ ପୋଲିସ ଠିକ୍ ଏହାର ଓଲଟା ଚାହୁଁଛି । ଚାଷୀ ଏକାଠି ହୋଇ ବିକ୍ଷୋଭ କଲେ ଦିଲ୍ଲୀ ପୋଲିସର ସମସ୍ୟା ଯେ ବଢିବ ଏକଥା ସେମାନଙ୍କୁ ଭଲ ଭାବେ ଜଣା । ତେଣୁ ଦିଲ୍ଲୀ ପୋଲିସ୍ ଚାହୁଁଛି ଯେ ଯେଉଁମାନେ ସୀମାରେ ଅଛନ୍ତି ପ୍ରଥମେ ସେମାନଙ୍କୁ ରାଜଧାନୀରେ ପସିବାକୁ ଅନୁମତି ଦିଆଯାଉ । ସିନ୍ଦୁ ସୀମାରେ ଚାଷୀମାନେ ବଡ଼ ସଂଖ୍ୟାରେ ଏକାଠି ହୋଇଛନ୍ତି ।

ଏମାନେ ଅନ୍ୟ ଚାଷୀ ଭାଇମାନଙ୍କୁ ଅପେକ୍ଷା କରି ରହିଥିବା ହେତୁ ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି । ଦିଲ୍ଲୀ ପୋଲିସ ବୁରାରି ସ୍ଥିତି ପଡ଼ିଆରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭକୁ ଅନୁମତି ଦେଇଥିବା ହେତୁ ଚାଷୀମାନଙ୍କୁ ସେଠାକୁ ଯିବା ପାଇଁ କହୁଛନ୍ତି । ମାତ୍ର ଚାଷୀଙ୍କର ଏକା ଜିଦ୍ ଯେ ଯେ ପର୍ଯ୍ୟନ୍ତ ଚାଷୀ ନେତାଙ୍କ ସହ ଆଲୋଚନା ନହୋଇଛି ଓ ସମସ୍ତେ ଏକାଠି ନହୋଇଛନ୍ତି ସେ ପର୍ଯ୍ୟନ୍ତ ଦିଲ୍ଲୀ ଭିତରକୁ ଯିବା ସମ୍ଭବ ନୁହେଁ । ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସ ପକ୍ଷରୁ ଯାତ୍ରୀଙ୍କ ପାଇଁ ସୂଚନା ଜାରି କରାଯାଇଛି । ସିନ୍ଧୁ ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବା ବେଳେ ଚାଷୀମାନେ ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ରଖିଛନ୍ତି । ତେଣୁ ସିନ୍ଧୁସୀମା ରାସ୍ତା ଦେଇ ଯାତାୟାତ ସମ୍ଭବ ହେଉନଥିବା ଦିଲ୍ଲୀ ପୋଲିସ ଜଣାଇଛି ।

Leave a Reply