ଦିଲ୍ଲୀରେ କୃଷକଙ୍କ ଉତ୍ପାତ, ଜୋର ଧରିଲା ରାଜ୍ୟ ରାଜନୀତି ! କଂଗ୍ରେସ ବି ନିନ୍ଦା କଲା

ଭୁବନେଶ୍ୱର: ଦିଲ୍ଲୀରେ କୃଷକଙ୍କ ଲଙ୍କାକାଣ୍ଡ ପ୍ରସଙ୍ଗକୁ ନେଇ ଓଡିଶାରେ ରାଜନୀତି ତୀବ୍ର ହୋଇଛି । ଚାଷୀଙ୍କ ଆନ୍ଦୋଳନକୁ ବହୁ ରାଜନୈତିକ ଦଳ ସମର୍ଥନ କରୁଥିଲେ ମଧ୍ୟ ହିଂସାକୁ ଗ୍ରହଣ କରିନାହାନ୍ତି । ଏପରିକି ଖୋଦ କଂଗ୍ରେସ ମଧ୍ୟ କୃଷକ ଆନ୍ଦୋଳନରେ ସିଧାସଳଖ ସାମିଲ ହୋଇଥିଲେ ବି ଦିଲ୍ଲୀକାଣ୍ଡକୁ ସମାଲୋଚନା କରିଛି । କିନ୍ତୁ ତୁରନ୍ତ କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ଦାବି କରିଛି କଂଗ୍ରେସ ।

ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲା କଂଗ୍ରେସ । ହେଲେ ଗଣତନ୍ତ୍ର ଦିବସରେ ଚାଷୀ ସଂଗଠନଗୁଡ଼ିକର ହିଂସାତ୍ମକ କାର୍ଯ୍ୟକଳାପର କଡ଼ା ନିନ୍ଦା କରିଛି ଦଳ । ଦିଲ୍ଲୀରେ ଯେଭଳି ହିଂସାକାଣ୍ଡ କରାଗଲା ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛି କଂଗ୍ରେସ । ଆଉ ଦାବି କରିଛି, ଚାଷୀଙ୍କ ଦାବିକୁ ଆଉ ଅଣଦେଖା ନ କରି ତୁରନ୍ତ ସମାଧାନ କରାଯାଉ ।

ଅନ୍ୟପକ୍ଷରେ ଶାସକ ଦଳ ବିଜେଡି ମଧ୍ୟ ଦିଲ୍ଲୀରେ ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ ବୋଲି କହିଛି । କୌଣସି ପରିସ୍ଥିତିରେ ହିଂସାକୁ ପ୍ରଶୟ ଦିଆଯାଇପାରିବ ନାହିଁ । ତେବେ ସ୍ବାମୀନାଥନ କମିଟି ସୁପାରିସ ଅନୁଯାୟୀ ଚାଷୀଙ୍କ ଆୟ ଦ୍ବିଗୁଣା କରିବା ପାଇଁ ଯାହା ଆବଶ୍ୟକ ତାହା କେନ୍ଦ୍ର ସରକାର କରନ୍ତୁ ବୋଲି ଦାବି କରିଛି ଦଳ । ଏପରିକି ପୂର୍ବଭଳି ବିଜେଡି କୃଷକଙ୍କ ଏମ୍ଏସ୍‌ପି ପ୍ରସଙ୍ଗରେ ନିଜର ଲଢେଇ ଜାରି ରଖିବ ବୋଲି ସ୍ପଷ୍ଟ କରିଛି ।

ସେହିଭଳି ବିଜେପି ମଧ୍ୟ ଦିଲ୍ଲୀ ହିଂସାକୁ ନେଇ କେନ୍ଦ୍ରରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମାଲୋଚନା କରିଛି । ପୋଲିସ ଉପରେ ଆକ୍ରମଣ ସହ ତ୍ରିରଙ୍ଗା ପତାକାକୁ ଅସମ୍ମାନ, ସାରା ବିଶ୍ବରେ ଭାରତର ଛବିକୁ ଖରାପ କରିଛି ବୋଲି ବିଜେପି କହିଛି । ଏପଟେ ମଣ୍ଡି ସମସ୍ୟା ନେଇ ଓଡିଶାରେ ୨୯ ତାରିଖ ଦିନ ବିଜେପି ୫ଟି ସଂସଦୀୟ କ୍ଷେତ୍ରରେ କୃଷକ ଅଧିକାର ରାଲି ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ବୋଲି ନିଷ୍ପତ୍ତି ନେଇଛି । ଏପରିକି ଏହା ପରେ ମଧ୍ୟ ମଣ୍ଡିରେ ଚାଷୀଙ୍କ ଧାନ ସଠିକ ଢଙ୍ଗରେ ଗ୍ରହଣ କରା ନ ଗଲେ ଚକାଜାମ କରିବ ବୋଲି ଚେତାବନୀ ଦେଇଛି ବିଜେପି ।

ଦିଲ୍ଲୀରେ ପ୍ରାୟ ଦୁଇମାସ ଧରି ଚାଲିଥିବା କୃଷକ ଆନ୍ଦୋଳନ ସାଧାରଣତନ୍ତ୍ର ଦିବସରେ ଉଗ୍ର ରୂପ ଧାରଣ କରିଥିଲା । ଏଭଳି ସ୍ଥିତିରେ ଆଗକୁ ଆନ୍ଦୋଳନ କିଭଳି ରୂପ ନେଉଛି ତା ଉପରେ ସମସ୍ତଙ୍କର ନଜର ।

Leave a Reply