କୂଅ ପାଣି ବ୍ୟବହାରକୁ ନେଇ ବଚସା: ବାପ ପୁଅଙ୍କୁ ନିସ୍ତୁକ ମାଡ଼ ମାରି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଢେଙ୍କାନାଳ: କୂଅ ପାଣି ବ୍ୟବହାରକୁ ନେଇ ଗଣ୍ଡଗୋଳରେ ୨ଜଣ ଆହତ ହୋଇଛନ୍ତି । ଢେଙ୍କାନାଳ ଗଞ୍ଜେଇଡିହ ଗାଁରେ ଏଭଳି ଉତ୍ତେଜନା ଦେଖିବାକୁ ମିଲିଛି । ଗାଁର ଶ୍ୟାମ ସୁନ୍ଦର ଧଳ ଓ ତାଙ୍କ ପୁଅ ସନ୍ତୋଷ ଧଳଙ୍କୁ ନିସ୍ତୁକ ମାଡ ମାରିବା ପରେ ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ମୁମୂର୍ଶୁ ଅବସ୍ଥାରେ ବାପପୁଅଙ୍କୁ ଗ୍ରାମବାସୀ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ଅଭିଯୋଗ ଅନୁସାରେ ଗାଁରେ ଥିବା ଏକ କୂଅର ପାଣି ବ୍ୟବହାରକୁ ନେଇ ଧଳ ପରିବାରର କିଛି ଲୋକଙ୍କ ସହ ବଚସା ହୋଇଥିଲା । ଯାହାର ସିସି ଟିଭି ଫୁଟେଜ ଭାଇରାଲ୍ ହେଉଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏକ ଗୋଷ୍ଠୀ ଗତ କାଲି ସନ୍ଧ୍ୟା ସମୟରେ ଶ୍ୟାମସୁନ୍ଦର ଓ ସନ୍ତୋଷ ଙ୍କୁ ଅତର୍କିତ ଆକ୍ରମଣ କରି ନିସ୍ତୁକ ମାଡ ମାରିଥିଲେ । ପରେ ବାପପୁଅ ଚେତାଶୂନ୍ୟ ହେବା ପରେ ପୋଖରୀକୁ ଫିଙ୍ଗି ଦେଇଥିଲେ ।

ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବାପପୁଅଙ୍କୁ ଉଦ୍ଧାର କରିଥିଲେ । ଉଭୟେ ଗୁରୁତର ଅବସ୍ଥାରେ ଏବେବି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି । ଏହି ଘଟଣାକୁ ନେଇ ଗଞ୍ଜେଇଡିହ ଗ୍ରାମରେ ଉତ୍ତେଜନା ଲାଗି ରହିଛି । ପରିସ୍ଥିତିକୁ ନଜରରେ ରଖି ଗାଁରେ ପୋଲିସ ଫୋର୍ସ ମୂତୟନ କରାଯିବା ସହ ଦୁଇ ଆକ୍ରମଣକାରୀଙ୍କୁ ଅଟକ ରଖାଯାଇଛି ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି।

Leave a Reply