ଘରୋଇ ସ୍କୁଲ୍ ଫି ବୃଦ୍ଧି ପ୍ରସଙ୍ଗ : ଆପୋଷ ସମାଧାନ ଲାଗି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ମହାମାରୀ କରୋନା ମାଡ଼ି ଚାଲିଥିବା ବେଳେ ମନମାନି କରୁଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ । ଅଭିଭାବକଙ୍କ ରୋଜଗାର ଏକ ପ୍ରକାର ଠପ୍ ହୋଇ ଯାଇଥିବା ବେଳେ ଘରୋଇ ଶିକ୍ଷାନୁଷ୍ଠାନ ଦାବି କରୁଛନ୍ତି ମାସିକ ପ୍ରାପ୍ୟ । ଏନେଇ ରୁଜୁ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ଫି ବୃଦ୍ଧି ପ୍ରସଙ୍ଗରେ ଆପୋଷ ସମାଧାନ ଲାଗି ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଡାକିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ଅଭିଭାବକ, ସ୍କୁଲ ଓ ଶିକ୍ଷକ ସଂଘ ସମେତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପକ୍ଷଙ୍କୁ ସାମିଲ କରାଯିବ । ବୈଠକରେ ଯାହା ବି କିଛି ନିଷ୍ପତ୍ତି ନିଆଯିବ ଆସନ୍ତା ଏକ ସପ୍ତାହ ମଧ୍ୟରେ ଏନେଇ କୋର୍ଟଙ୍କୁ ଅବଗତ କରିବା ପାଇଁ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି ।

କରୋନା କଟକଣା ହେତୁ ସ୍କୁଲ ବନ୍ଦ ରହିଥିବା ବେଳେ ଘରୋଇ ସ୍କୁଲ ଗୁଡ଼ିକ ପକ୍ଷରୁ ଟ୍ୟୁସନ ଫି, ଯାତାୟାତ ଖର୍ଚ୍ଚ ଓ ଅନ୍ୟାନ୍ୟ ଫି ଆଦାୟକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଅଭିଭାବକ ସଂଘ । ଅନଲାଇନରେ ପାଠପଢ଼ା ଚାଲିଥିବାରୁ ଯାତାୟାତ ଖର୍ଚ୍ଚ ଉଚ୍ଛେଦ ଏବଂ ଟ୍ୟୁସନ ଫି ହ୍ରାସ ନେଇ ଆବେଦନ କରାଯାଇଥିଲା । ଆପୋଷ ସମାଧାନ ପାଇଁ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସ୍ୱାଗତ କରିଛି ଅଭିଭାବକ ମହାସଂଘ ।

Leave a Reply