କରୋନା ଦ୍ୱାରା ପ୍ରଭାବିତ ଶ୍ରୀମନ୍ଦିର ଆୟ, ନାଗାର୍ଜୁନ ବେଶ ପ୍ରସ୍ତୁତି ନେଇ ତତ୍ପର ପ୍ରଶାସନ

1 min read

ପୁରୀ : ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ଆୟ କମିଛି । କରୋନାର ମୁକାବିଲା ସ୍ୱରୂପ କରାଯାଇଥିଲା ଲକ୍ ଡାଉନ । ଆଉ ବନ୍ଦ ରହିଥିଲା କାଳିଆର ସିଂହଦ୍ୱାର । ଭକତ ଭେଟି ପାରି ନ ଥିଲା ତା ପ୍ରିୟ ଭଗବାନକୁ । ଏହାର କିଛି ଦିନ ପରେ ହୋଇଥିଲା ଘୋଷ ଯାତ୍ରା । କଟକଣା ମଧ୍ୟରେ ହୋଇଥିଲା ରଥଯାତ୍ରା । ଯାତ୍ରୀ କିମ୍ବା ପୁରୀ ବାହାର ଲୋକଙ୍କୁ ହୋଇଥିଲା ବାରଣ । ଏହି ସମସ୍ତ କାର୍ଯ୍ୟାବଳୀର ପ୍ରଭାବ ଶ୍ରୀମନ୍ଦିର ଆୟ ଉପରେ ପକାଇଛି । ପ୍ରତିଦିନ ଲକ୍ଷାଧିକ ଟଙ୍କା ଶ୍ରୀମନ୍ଦିର ହୁଣ୍ଡିରେ ଜମା ହୋଇଥାଏ । ହେଲେ ତାହା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା ।

ସେ ତ ବିଶ୍ୱନିୟନ୍ତା । ସାରା ଜଗତର ଅର୍ଥନୈତିକ ଉପଦେଷ୍ଟା । ସୁରୁଖୁରରେ ସମାପ୍ତ ହୋଇଆସୁଛି ତାହାର କାର୍ଯ୍ୟ । ଶ୍ରୀମନ୍ଦିର ପ୍ରଶାସନ ଲାଗିପଡିଛି ନାଗାର୍ଜୁନ ବେଶକୁ ସଫଳ କରିବା ପାଇଁ । ଶ୍ରୀମନ୍ଦିର ସମ୍ପର୍କିତ ଏମିତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଜି ଆଲୋଚିତ ହୋଇଥିଲା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ବୈଠକ ।

Mahaprabhu Nagatjuna Besa Puri Jagannath Mandir

ବୈଠକ ପରେ ଏହା ସମ୍ପର୍କରେ ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର । ସୂଚନାନୁଯାୟୀ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ 154 କୋଟି ଟଙ୍କାର ବଜେଟ ଅନୁମୋଦିତ ହୋଇଛି । କରୋନା ୟୋଗୁଁ ଶ୍ରୀମନ୍ଦିର ପ୍ରଶାସନର ଖର୍ଚ୍ଚ ବୃଦ୍ଧି ହୋଇଥିବା ବେଳେ ଆୟ କମ ରହିଛି  । ଯାହା ଶ୍ରୀମନ୍ଦିର ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଥିବା ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି । ଆୟ ବୃଦ୍ଧି କରିବାକୁ ପ୍ରଶାସନ ପକ୍ଷରୁ ଅନଲାଇନ୍ ଡୋନେସନ୍ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ପ୍ରକ୍ରିୟାରେ ଯିଏ ବି ଚାହିଁବ ସେମାନେ ମନ୍ଦିରକୁ ଅନଲାଇନ ମାଧ୍ୟମରେ ଦାନ କରିପାରିବେ । ସୁଧରୁ ୫୦ ପ୍ରତିଶତ ଆୟ ହେଉଥିବା ବେଳେ ହୁଣ୍ଡିରୁ ମଧ୍ୟ ଆୟ ହେଉଥିଲା । ଏବେ ଶ୍ରୀମନ୍ଦିର ଦାନ ଓ ହୁଣ୍ଡି ଆୟ ବନ୍ଦ ରହିଛି । ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ନିମନ୍ତେ ଏକ ସ୍ୱତନ୍ତ୍ର କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାର ନେତୃତ୍ୱ ନେବାକୁ ଥିବା ବେଳେ ଜିଲ୍ଲାପାଳ ଓ ଏସପି ଏହାର ସଦସ୍ୟ ରହିବେ । କମିଟି ବିଭିନ୍ନ ଦିଗକୁ ନେଇ ଆଲୋଚନା କରିବେ । ପ୍ରଶାସନିକ ଦିଗ ଉପରେ ଆଲୋଚନା ପରେ ଛତିଶା ନିଯୋଗ ସହିତ ଆଲୋଚନା କରାଯିବ । ଆସନ୍ତା ୩ ସପ୍ତାହ ପରେ ଏ ସଂପର୍କରେ ବିସ୍ତୃତ ଚିତ୍ର ସାମ୍ନାକୁ ଆସିପାରିବ । କୋଟି କୋଟି ଭକ୍ତ ଏବଂ ଶ୍ରଦ୍ଧାଳୁ ପର୍ଯ୍ୟାୟକ୍ରମେ କିଭଳି ଠାକୁରଙ୍କର ଦର୍ଶନ କରିପାରିବେ ସେ ନେଇ ନୂଆ ଗାଇଡଲାଇନ୍ ମଧ୍ୟ ଜାରି କରାଯିବ । ଆସନ୍ତା 19ରେ ରୁପା କବାଟ ଡିଜାଇନ ଫାଇନାଲ ପାଇଁ ବୈଠକରେ ଆଲୋଚନା ହେବ  । 20ଜଣିଆ କମିଟି ଏହି ନିଷ୍ପତି ନେବାକୁ ଥିବାବେଳେ ପ୍ରାଥମିକ ସ୍ତରରେ ଆଠଟି ଦ୍ୱାର ନିର୍ମାଣ କାର୍ଯ୍ୟ ପାଇଁ କାର୍ଯ୍ୟ ଆରମ୍ଭ ହେବ । ଶନିବାର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

 

Leave a Reply