ଭ୍ୟାକ୍ସିନ ଆସିବା ନେଇ ଭଲ ଖବର; ଫେବୃଆରୀରେ ଆସିପାରେ ଦେଶୀ ଭ୍ୟାକ୍ସିନ- Covaxin

1 min read

ନୂଆଦିଲ୍ଲୀ: କରୋନା ଗହଳି ଖୋଜୁଛି । ବିଶ୍ୱ ଭ୍ୟାକ୍ସିନ ଖୋଜୁଛି । ଜୀବନ-ମରଣର ଏଇ ଲଢେଇରେ ଭ୍ୟାକ୍ସିନ୍ ବିଶଲ୍ୟକରଣୀ ହୋଇ ବାହାରିବ ।  ଏବେ କିନ୍ତୁ ଅପେକ୍ଷାର ଅଧ୍ୟାୟ । ଭାରତ ସମେତ ସାରା ବିଶ୍ୱରେ କେବଳ ଅପେକ୍ଷା । ସବୁ ଦେଶର ଉଦ୍ୟମ ଜାରି ରହିଛି ସତ ହେଲେ ଏଯାବତ୍ ସଫଳ କେହି ନୁହେଁ । ତେବେ ଏଇ ଭିତରେ ଭାରତରେ ଏକ ଭଲ ଖବର ଆସି ପହଞ୍ଚିଛନ୍ତି । ପୂର୍ବରୁ ଶୁଣାଯାଉଥିଲା, ଭାରତରେ ଭ୍ୟାକ୍ସିନ ୨୦୨୧ ଆରମ୍ଭ କିମ୍ୱା ଏଇ ବର୍ଷ ଜୁନ-ଜୁଲାଇ ଆଡକୁ ଆସିବ ।

ହେଲେ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଭ୍ୟାକ୍ସିନ୍ ଫେବୃଆରୀ ମାସରେ ଆସିପାରେ । ଫେବୃଆରୀ ମାସରେ ଭ୍ୟାକ୍ସିନ୍ ଆସିବାର ଅର୍ଥ ଏହା ନୁହେଁ ଯେ ବିତରଣ ଫେବୃଆରୀରୁ ଆରମ୍ଭ ହୋଇଯିବ । ପ୍ରସ୍ତୁତି ପାଇଁ ଅନୁମତି ମିଳିବା ପରେ ହିଁ ଭ୍ୟାକ୍ସିନ ବିତରଣ ନେଇ ବାଟ ଖୋଲିବ । ତେବେ ସୂଚନା ଥାଉ କି, ଦେଶରେ ୩ଟି ଭ୍ୟାକ୍ସିନ ଏବେ ପରୀକ୍ଷଣ ପ୍ରକ୍ରିୟାରେ ରହିଛି । ଏଗୁଡିକ ମଧ୍ୟରୁ ଉଭୟ ସରକାର ଓ ଜନତାଙ୍କର ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରିଥିବା କୋଭ୍ୟାକ୍ସିନକୁ ନେଇ ଆଶା ସୀମାହୀନ ।

ସରକାର ଏମିତି ଭାବେ ଏହାକୁ ବିଶ୍ୱାସ କରୁଛନ୍ତି ଯେ ସାରା ଦେଶ କୋଭ୍ୟାକ୍ସିନର ବିତରଣକୁ ଅପେକ୍ଷା କରି ରହିଛି । ସତରେ ଯଦି ଫେବୃଆରୀ ଭ୍ୟାକ୍ସିନ ବାହାରି ଆସେ, ତେବେ ଦେଶରେ କରୋନା ନେଇ ସମସ୍ୟା କ୍ରମଶଃ କମିବ ଏନେଇ ସନ୍ଦେହ ନାହିଁ । ଭାରତ ବାୟୋଟେକ୍ ସାରା ଦେଶରେ ବିଭିନ୍ନ ଶ୍ରେଣୀ ଓ ବର୍ଗର ଲୋକଙ୍କୁ ଚୟନ କରି ଭ୍ୟାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ କରିଛି  । SARS-Cov-2ର ଇନ-ଆକ୍ଟିଭେଟ୍ ଷ୍ଟ୍ରେନରୁ ପ୍ରସ୍ତୁତ ହୋଇଥିବା ଏହି ଭ୍ୟାକ୍ସିନର ପରୀକ୍ଷଣ ଦେଶର ୧୪ ରାଜ୍ୟରେ ଚାଲିଛି ।ଭାରତ ବାୟୋଟେକ କହିବା ଅନୁଯାୟୀ, ଭ୍ୟାକ୍ସିନର ଦର ନିର୍ଦ୍ଧାରଣ ନେଇ କୌଣସି ଯୋଜନା ଏଯାବତ୍ ନାହିଁ । ମାତ୍ର ଏକଥା ସତ ଯେ ସରକାରଙ୍କ ବାଦ୍ ବେସରକାରୀ ସଂସ୍ଥାଙ୍କୁ ମଧ୍ୟ ଭ୍ୟାକ୍ସିନ ଦିଆଯିବ । ସେମାନେ ଭ୍ୟାକ୍ସିନ ବିତରଣ କରିପାରିବେ ।

 

Leave a Reply