ଶ୍ରୀମନ୍ଦିର ପରିଚାଳନା କମିଟି ଆଲୋଚନା : ଚଳିତ ବର୍ଷ ପାଇଁ ୧୫୪ କୋଟି ପାରିତ

ପୁରୀ: ଶ୍ରୀଜଗନ୍ନାଥଙ୍କୁ ଦେଖିବାକୁ ବ୍ୟାକୁଳ ଥିବା ଭକ୍ତଙ୍କୁ, ଆଉ ମାତ୍ର କିଛିଦିନ ଅପେକ୍ଷା କରିବାକୁ ପଡ଼ିବ । କାରଣ ଡିସେମ୍ବର ତୃତୀୟ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର । ଆସନ୍ତା ୩୦ ଦିନ ମଧ୍ୟରେ ଏ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବ ପ୍ରଶାସନ । ଏଥିପାଇଁ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନେତୃତ୍ୱରେ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ଏକ କମିଟି ଗଠନ କରାଯାଇ ଛତିଶା ନିଯୋଗ ସହିତ ଆଲୋଚନା ହେବ । ଏହାପରେ ଦର୍ଶନ ବ୍ୟବସ୍ଥା ସଂପର୍କିତ ଗାଇଡଲାଇନ୍ ଜାରି କରିବାକୁ ନିଷ୍ପତ୍ତି ହୋଇଛି ।

ଏହାସହିତ ଚଳିତ ଆର୍ଥିକ ବର୍ଷ ପାଇଁ ମନ୍ଦିରର ଆୟବ୍ୟୟ ବାବଦକୁ ୧୫୪ କୋଟିର ବଜେଟ ପାରିତ ହୋଇଛି । କରୋନା କାରଣରୁ ଖର୍ଚ୍ଚ ବୃଦ୍ଧି ହୋଇଥିବା ବେଳେ ଆୟ କମ୍ ରହିଛି । ପାଣ୍ଠି ବୃଦ୍ଧି କରିବାକୁ ଅନଲାଇନ୍ ଡୋନେସନ୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଐତିହ୍ୟ କରିଡର ନିର୍ମାଣ ନେଇ ଅଧିକୃତ ହୋଇଥିବା ଜମି ଶ୍ରୀମନ୍ଦିର ଖାତାକୁ ଆସିଥିବାରୁ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରାଯିବା ସହ ପରିଚାଳନା କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଛି । ଆସନ୍ତା ୧୯ ତାରିଖ ଦିନ ରୂପା କବାଟ ଡିଜାଇନ ଫାଇନାଲ ପାଇଁ  ୨୦ ଜଣିଆ କମିଟି ନିଷ୍ପତ୍ତି ନେବ ।

ପ୍ରାଥମିକ ସ୍ତରରେ ଆଠଟି ଦ୍ୱାର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହେବ । ୨୭ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଶୃଙ୍ଖଳିତ ଭାବେ ସମାପନ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଆଗାମୀ ଶନିବାର ଏନେଇ ଅଧିକ ଆଲୋଚନା ହେବ । ସେବାୟତ କଲ୍ୟାଣ ନେଇ କରୋନା ସମୟରେ  ୪ ଥର ସହାୟତା ରାଶି ଯୋଗାଇ ଦିଆଯାଇଥିବା ବେଳେ ପଞ୍ଚମ ଥର ଦିଆଯିବା ପାଇଁ ନିଷ୍ପତି ଉପରେ ଆଜି ବୈଠକରେ ମଧ୍ୟ ଆଲୋଚନା କରାଯାଇଛି

Leave a Reply