ଜହ୍ନମାମୁଁ କାର୍ଟୁନିଷ୍ଟ କେ ସି ଶିବଶଙ୍କରଙ୍କ ପରଲୋକ..

ଚେନ୍ନାଇ: ଏମିତି କ୍ୱଚିତ କିଏ ଥିବ, ଯିଏକି ପିଲାଦିନେ ଚନ୍ଦାମାମା ଅଥବା ଜହ୍ନମାମୁଁ ପତ୍ରିକା ପଢି ନ ଥିବ । ଏକଦା ପ୍ରତିଟି ଭାରତୀୟ କୈଶୋରଟିଏ ନିଜ ମାତୃଭାଷାରେ ଚନ୍ଦାମାମା(ଜହ୍ନମାମୁଁ) ପଢିବାକୁ ଭଲ ପାଉଥିଲେ । ମାସର କେଉଁଦିନ ଏହି ପତ୍ରିକା ବଜାରକୁ ଆସିବ, ତାହାକୁ ଅନାଇ ବସୁଥିଲେ । ଏହାର ଛାପା ସଂଖ୍ୟା ସେ ସମୟରେ ରେକର୍ଡ ବ୍ରେକ କରୁଥିଲା । ଭଳିକି ଭଳି ପ୍ରସଙ୍ଗ ସାଙ୍ଗକୁ ସୁନ୍ଦର ପ୍ରଚ୍ଛଦ ଓ କାର୍ଟୁନ ଭାରି ମନଲୋଭା । ଆଉ ଏହି କାର୍ଟୁନ ନିଜ ତୂଳୀରେ ରୂପ ଦେଉଥିଲେ କେ.ସି ଶିବଶଙ୍କର । ହେଲେ ସେ ଆଜି ନୀରବି ଯାଇଛନ୍ତି । ୯୭ ବର୍ଷ ବୟସରେ ମଙ୍ଗଳବାର ତାଙ୍କର ପରଲୋକ ହୋଇଛି ।

ଜହ୍ନମାମୁର ମୂଳ କର୍ମଚାରୀଙ୍କ ମଧ୍ୟରୁ ଜଣେ ତଥା ଏହାର ପ୍ରଖ୍ୟାତ ଚିତ୍ରକର କେ ଶିବଶଙ୍କରଙ୍କର ଚେନ୍ନାଇରେ ଆଜି ୯୭ ବର୍ଷ  ବୟସରେ ପରଲୋକ ହୋଇଯାଇଛି। ୧୯୨୪ରେ ଜନ୍ମିତ ଶିବଶଙ୍କର ୧୯୪୭ ମସିହାରେ ଜହ୍ନମାମୁଁରେ ଯୋଗ ଦେଇଥିଲେ । ସେ ଏହାର ପ୍ରାରମ୍ଭିକ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ଜହ୍ନମାମୁରେ ତାଙ୍କ ପୁରା ଜୀବନକାଳ କଟିଥିଲା। ଜହ୍ନମାମୁ ବନ୍ଦ ହେବା ପର୍ଯ୍ୟନ୍ତ ସେ ସେଥିରେ କାର୍ଯ୍ୟ କରୁଥିଲେ । ତାଙ୍କ ପ୍ରରମ୍ଭିକ ଦରମା ୩୫0 ଟଙ୍କା ଥିଲା । ବେତାଳକଥା ଓ ମହାଭାରତର ଚରିତ୍ର ସବୁ ତାଙ୍କ ତୂଳୀରେ ଜୀବନ୍ତ ହୋଇଥିଲା ।

୧୪ରୁ ଅଧିକ ଭାରତୀୟ ଭାଷାରେ ପ୍ରକାଶିତ ଜହ୍ନମାମୁ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା  । ୧୯୪୨ ମସିହାରେ ତୁଳୀ ଧରିଥିବା ଏହି ମହାନ ଚିତ୍ରକର ନିଜ କଳାର ଯାଦୁରେ କୋଟି କୋଟିଙ୍କ ପିଲାବେଳକୁ ମନୋରମ କରିଥିଲେ । ତାଙ୍କ ବିୟୋଗରେ ଏକ ବ୍ୟକ୍ତି ନିଜ ସତ୍ତା ହରାଇଛି ଏଥିରେ ଦ୍ୱିମତ ନାହିଁ ହେଲେ ତାଙ୍କ କଳା ଓ କୃତୀ ଆମ ଭିତରେ ସ୍ମୃତି ହୋଇ ବଞ୍ଚିବ, ଅହରହ ।

Leave a Reply