କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦାବି, ଲକଡାଉନ ପାଇଁ ୭୮ ହଜାର ଲୋକଙ୍କ ଜୀବନ ବଂଚିଲା

dr harsha vardhana

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମେ ଲୋକସଭାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ବାଚସ୍ପତି ଓମ୍ ବିର୍ଲା କହିଥିଲେ, ପ୍ରଣବ ଜଣେ ସଫଳ ବକ୍ତା ଓ ପ୍ରଶାସକ ଥିଲେ । ତାଙ୍କ ଜ୍ଞାନ ଓ ଅନୁଭବ ଥିଲା ଅଦ୍ୱିତୀୟ । ଏହାପରେ ଘଣ୍ଟାଏ ପାଇଁ ଲୋକସଭାକୁ ମୁଲତବି ରଖାଯାଇଥିଲା ।

ତେବେ ସଂସଦ ଆରମ୍ଭ ହେବା ପରେ କରୋନା ସଂକ୍ରମଣକୁ ନେଇ ବିବୃତି ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ସେ କହିଛନ୍ତି ଦେଶରେ ଲକଡାଉନ ଯୋଗୁଁ ୨୯ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହେବାରୁ ବଞ୍ଚିଗଲେ । ଏଥିସହ ୭୮ ହଜାର ଲୋକ ମୃତ୍ୟୁ ମୁଖରୁ ମଧ୍ୟ ବର୍ତ୍ତିଗଲେ । ଲକଡାଉନ ନହୋଇଥିଲେ ଦେଶରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତ ସଂଖ୍ୟାର ବହୁ ଗଣା ହୋଇଥାନ୍ତା । କେନ୍ଦ୍ର ସରକାର ଠିକ ସମୟରେ ଉଚିତ ପଦକ୍ଷେପ ନେବା ଯୋଗୁଁ ଦେଶରେ କରୋନା ସ୍ଥିତି ଆୟତରେ ରହିଛି ବୋଲି ଗୃହରେ ବିବୃତି ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।

ଏହା ସହ ପୂର୍ବରୁ ହର୍ଷବର୍ଦ୍ଧନ କହିଛନ୍ତି ଯେ, ୨୦୨୧ ଆରମ୍ଭରେ ଆସିପାରେ କରୋନା ଟିକା । ଟିକାକୁ ନେଇ ଯଦି ସନ୍ଦେହ ସୃଷ୍ଟି ହେବ ତେବେ ସେ ପ୍ରଥମେ ଟିକା ନେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।  ତେବେ ଟିକା ଆସିବା ନେଇ କୌଣସି ନିର୍ଦ୍ଧିଷ୍ଟ ତାରିଖ ଘୋଷଣା ହୋଇନଥିବା କହିଛନ୍ତି ହର୍ଷବର୍ଦ୍ଧନ । ଟିକା ଆସିଲେ ପ୍ରଥମେ ବରିଷ୍ଠ ନାଗରିକ ତଥା କୋଭିଡ୍ ଯୋଦ୍ଧାଙ୍କୁ ଦିଆଯିବ । ଡିଜିଟାଲ ପ୍ଲାଟଫର୍ମରେ ଅନୁଷ୍ଠିତ ଏକ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ଡାକ୍ତର ହର୍ଷବର୍ଦ୍ଧନ ।

ସେହିଭଳି ଗୃହରେ ଡ୍ରଗ୍ନ କାରବାର କଥା ଉଠାଇଛନ୍ତି ସାଂସଦ ରବି କିଷନ୍‌ । ପଞ୍ଜାବ ଓ ନେପାଳ ଦେଇ ସାରା ଭାରତକୁ ଚାଲାଣ ହେଉଛି ଡ୍ରଗ୍ସ । ଦେଶର ଯୁବପୀଢିଙ୍କୁ ମତିଭ୍ରମ କରିବା ପାଇଁ ଏହା ଏକ ଯୋଜନା ବୋଲି ବିଜେପି ସାଂସଦ ରବି କିଶନ ଆଜି ଲୋକସଭାରେ ବିବୃତି ରଖିଛନ୍ତି । କେନ୍ଦ୍ର ସରକାର ଏହା ଉପରେ ନଜର ରଖିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି । ସେ ଏଠାରେ ପରୋକ୍ଷ ଭାବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର କଥା ମଧ୍ୟ ଉଠାଇଛନ୍ତି । ଏନସିବି ଏହି ମାମଲାରେ ଭଲ ଭାବେ ତଦନ୍ତ କରୁଛି ବୋଲି ରବି କିଷନ କହିଛନ୍ତି । ଭାରତ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ପଦକ୍ଷେପ ନେବା ଦରକାର । ଯାହା ଦ୍ୱାରା ପଡୋଶୀ ଦେଶକୁ ମଧ୍ୟ ଉଚିତ ଜବାବ ମିଳିବ ବୋଲି ରବି କିଶାନ କହିଛନ୍ତି ।

Leave a Reply