କରୋନା ଯୋଗୁ କେତେ ପ୍ରବାସୀ ଭାରତୀୟ ରୋଜଗାର ହରାଇଛନ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ : କରୋନା ସାରା ବିଶ୍ୱ ଅର୍ଥନୀତି, ଜିଓ ପଲିଟିକ୍ସ ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବହୁଳ ଭାବେ ପ୍ରଭାବିତ କରିଛି । ଭାରତରେ ରହୁଥିବା ଭାରତୀୟ ଏବଂ ଭାରତ ବାହାରେ ରହୁଥିବା ପ୍ରବାସୀଙ୍କ ଅର୍ଥନୈତିକ ଜୀବନ ଉପରେ ମଧ୍ୟ କରୋନାର ସିଧାସଳଖ ପଡିଛି । ତେଣୁ କେତେ ସଂଖ୍ୟକ ଲୋକ ରୋଜଗାର ହରାଇଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ସରକାରଙ୍କ ପାଖରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନ ଥିବା ବିରୋଧୀମାନେ ଅଭିଯୋଗ କରିଛନ୍ତି ।

ହେଲେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ପ୍ରଦାନ କରାଯାଇଥିବା ଏକ ତଥ୍ୟରୁ ବିଦେଶରୁ ଫେରି ରୋଜଗାର ହରାଇଥିବା ନାଗରିକମାନଙ୍କ ସଂପର୍କରେ କିଛି ତଥ୍ୟ ମିଳିଛି । ଖୋଦ୍ କେନ୍ଦ୍ର ସରକାର ଏହି ତଥ୍ୟ ଲୋକ ସଭାରେ ଲିଖିତ ଆକାରରରେ ପ୍ରଦାନ କରିଛନ୍ତି । ଅନେକ ଭାରତୀୟ ବିଦେଶରେ ଚାକିରୀ କରିବା ସହ ବହୁ ସଂଖ୍ୟାରେ ଉଚ୍ଚଶିକ୍ଷା ମଧ୍ୟ ଗ୍ରହଣ କରୁଥିଲେ । ତେଣୁ ବିଦେଶରୁ ଆସିଥିବା ସମସ୍ତ ସଂଖ୍ୟାକୁ ବେରୋଜଗାର ବୋଲି ଦର୍ଶାଯାଇପାରିବ ନାହିଁ ।

୧୬ ସେପ୍ଟେମ୍ବରରେ ପଚରାଯାଇଥିବା ଅଣତାରକା ପ୍ରଶ୍ନ ସଂଖ୍ୟା ୬୧୧ର ଉତ୍ତର ଦେଇ ବୈଦେଶିକ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନଙ୍କ ଏପରି ତଥ୍ୟ ରଖିଛନ୍ତି । ସେ ଦେଇଥିବା ଉତ୍ତର ଅନୁଯାୟୀ, ଚଳିତମାସ ୧୦ ତାରିଖ ସୁଦ୍ଧା ଦେଶକୁ ବିଦେଶରୁ ୧୩ ଲକ୍ଷ ୭୪ ହଜାର ୨୩୭ ଜଣ ଆସିଛନ୍ତି । ଆକାଶପଥ, ସଡ଼କପଥ ଏବଂ ଜଳପଥରେ ଏମାନେ ଭାରତ ଆସିଛନ୍ତି । ତନ୍ମଧ୍ୟରୁ ୩ ଲକ୍ଷ ୮ ହଜାର ୯୯ ଜଣ ଶ୍ରମିକ ବୋଲି ଜଣାପଡିଛି । କରୋନା କଟକଣାରୁ ଏହି ସମସ୍ତ ନାଗରିକ ନିୟୋଜିତ ଥିବା କାର୍ଯ୍ୟ ଛାଡି ଭାରତ ଆସିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଥିବା କୁଶଳୀ ଶ୍ରମିକ ଆଗମନ ତଥ୍ୟ ନିଯୁକ୍ତି ସହାୟତା(ସ୍ୱଦେଶ) ଦ୍ୱାରା ପଞ୍ଜିକୃତ କରାଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତାଲିକା ଅନୁଯାୟୀ, ୟୁଏଇରୁ ସର୍ବାଧିକ ୮୪,୪୯୭ ଜଣ ଶ୍ରମିକ ଭାରତ ଫେରିଛନ୍ତି । ସେହିପରି ଓମାନରୁ ୫୦,୫୩୬, ସାଉଦି ଆରବରୁ ୪୯,୦୦୦ , କତାରରୁ ୩୦,୫୦୯, କୁଏତରୁ ୪୪,୨୪୮ ଏବଂ ବାହାରିନ୍ ରୁ ୧୪,୯୨୦ ଜଣ ଭାରତ ଫେରିଛନ୍ତି । ଏହିପରି ଭାବେ ପ୍ରାୟ ୧୧୩ଟି ଦେଶରୁ ବିଭିନ୍ନ କ୍ଷେତ୍ରରେ ଥିବା କୁଶଳୀ ଶ୍ରମିକ ଭାରତ ଫେରିଛନ୍ତି । ସାଂସଦ ଏ. ଏମ୍ ଆରିଫଙ୍କ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନରେ ଏହି ସୂଚନା ପ୍ରଦାନ କରାଯାଇଛି । ଏ ସମ୍ପର୍କିତ ଏକ ପୂର୍ଣ୍ଣାଙ୍ଗ ତାଲିକା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଛି । ସାରା ବିଶ୍ୱରେ କରୋନା ସ୍ଥିତିରେ ଉନ୍ନତି ଆସି ନ ଥିବାରୁ ଏହି ସମସ୍ତ ଶ୍ରମିକ ବର୍ତ୍ତମାନ ଭାରତରେ ଅବସ୍ଥାନ କରୁଛନ୍ତି । ଏତେ ସଂଖ୍ୟକ କୁଶଳୀ ନାଗରିକଙ୍କୁ ଅସୀମ ତଥା ଆତ୍ମନିଭର ସ୍କିଲ୍ଡ ଏମ୍ପୋଇ ଏମ୍ପୋୟର ମ୍ୟାପିଙ୍ଗ୍ ଯୋଜନାର ଅର୍ନ୍ତଭୁକ୍ତ କରାଯାଇଛି ।

Leave a Reply