ଆମ୍ବାନୀଙ୍କ ଘର ସମ୍ମୁଖରେ ସନ୍ଦିଗ୍ଧ କାର୍ ମାମଲା: ପୋଲିସକୁ ମିଳିଲା ଡ୍ରାଇଭରର ସିସିଟିଭି ଫୁଟେଜ୍

ମୁମ୍ବାଇ: ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ଏଣ୍ଟିଲିଆ ସମ୍ମୁଖରୁ ମିଳିଥିବା ସନ୍ଦିଗ୍ଧ କାର୍ ମାମଲାରେ ପୋଲିସକୁ ମିଳିଲା ଆଉ ଏକ ସୁରାକ୍ । ମୁମ୍ବାଇ କ୍ରାଇ ବ୍ରାଞ୍ଚ ହାତରେ ଲାଗିଛି ଏକ ସିସିଟିଭି ଫୁଟେଜ୍, ଯେଉଁଥିରେ ସନ୍ଦିଗ୍ଧ ସ୍କୋର୍ପିଓର ଡ୍ରାଇଭରର ଛବି ସାମ୍ନାକୁ ଆସିଛି।

ଏହି ଫୁଟେଜରେ ଧଳା ଇନୋଭା କାର ଅପରାହ୍ନ ୩.୪୫ରେ ମୁଲୁଣ୍ଡ ଟୋଲଗେଟ୍ ପାର କରି ଥାଣେ ସହରକୁ ପ୍ରବେଶ କରୁଥିବା ନଜର ଆସିଛି । ଆଉ ଏହି କାରରେ ସେହି ସନ୍ଦିଗ୍ଧ ସ୍କର୍ପିଓର ଡ୍ରାଇଭର ଅଛି । ସେ ନିଜକୁ ଲୁଚାଇ ପଛ ସିଟରେ ବସିଛନ୍ତି। ସେ ମୁହଁରେ ମାସ୍କ ଲଗାଇ ରଖିଥିଲା ଓ ମୁଣ୍ଡକୁ ହୁଡରେ ଘୋଡାଇ ରଖିଥିଲା। ଏଣୁ ତାକୁ ଚିହ୍ନଟ କରିବା ସମ୍ଭବ ହେଉ ନାହିଁ। ବର୍ତ୍ତମାନ ଯେଉଁ ରାସ୍ତାରେ ଗାଡ଼ି ଆସି ମୁକେଶ ଅମ୍ବାନୀଙ୍କ ଘର ଆଗରେ ପହଞ୍ଚିଥିଲା ସେହି ସବୁ ରାସ୍ତାର ସିସିଟିଭି ଫୁଟେଜ ପୋଲିସ ସଂଗ୍ରହ କରୁଛି। ପୋଲିସ୍ ଘୋଡବନ୍ଦର, ଥାନେ ଶାହାପୁର, ନାଶିକ, ଭିବଣ୍ଡି ପର୍ଯ୍ୟନ୍ତ ସେ ଦିନର ସିସିଟିଭି ଫୁଟେଜ ଖୋଳତାଡ଼ କରୁଛନ୍ତି।

ସୂଚନାଯୋଗ୍ୟ, ଗତ  ୨୫ତାରିଖରେ ମୁକେଶ ଅମ୍ବାନୀଙ୍କ ବସଭବନ ଅଣ୍ଟେଲିଆ ସମ୍ମୁଖରେ ଏକ  ସନ୍ଦିଗ୍ଧ କାର ସହ ୨୦ଟି ଜିଲେଟିନ୍ ଷ୍ଟିକ୍ସ ମିଳିଥିଲା । ଗୁରୁବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଏକ ସ୍କର୍ପିଓ ଗାଡ଼ି ଏଣ୍ଟିଲିଆ ସାମ୍ନାରେ ଆସି ଛିଡ଼ା ହୋଇଥିଲା। ଆଉ ଏକ ଇନୋଭା ମଧ୍ୟ ଥିଲା । ଡ୍ରାଇଭର ସ୍କର୍ପିଓ ଗାଡ଼ିକୁ ସେଇଠି ପାର୍କ କରି ପଳାଇ ଯାଇଥିଲେ। ଘର ବାହାରେ ସନ୍ଦିଗ୍ଧ କାର ଦେଖି ଅମ୍ବାନୀଙ୍କ ସୁରକ୍ଷା କର୍ମୀ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଯେହାପରେ ପରେ ଘଟଣାସ୍ଥଳରେ ମୁମ୍ବାଇ ପୋଲିସ ଡଗ୍ ସ୍କ୍ୱାର୍ଡ ସହ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା । ଗାଡ଼ି ଭିତରୁ ଜିଲେଟିନ୍ ଷ୍ଟିକ୍ ସହ କେତେକ ଗାଡ଼ିର ନମ୍ବର ପ୍ଲେଟ୍ ମଧ୍ୟ ମିଳିଛି ।

ସୂଚନା ଅନୁଯାୟୀ ଏହି ନମ୍ବର ପ୍ଲେଟ୍ ଗୁଡ଼ିକ ମୁକେଶ ଅମ୍ବାନୀଙ୍କ ସୁରକ୍ଷାରେ ନିୟୋଜିତ ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ୍ ସହ ମେଳ ଖାଉଥିବା ଜଣାପଡ଼ିଛି। ଏଣୁ ଏହି ଗାଡ଼ିରେ ଦୁର୍ବୃତ୍ତ ଅମ୍ବାନୀଙ୍କୁ ମୁମ୍ବାଇରେ ପିଛା କରୁଥିବାର ମଧ୍ୟ ସନ୍ଦେହ କରାଯାଉଛି। ଏଣ୍ଟିଲିଆ ସାମ୍ନାରେ ବହୁ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।

 

 

Leave a Reply