ଦିନେ ଥିଲେ କ୍ରୁଜର ସେଫ୍, ହେଲେ ଲକଡାଉନରେ ରାସ୍ତା କଡରେ ବିକିବାକୁ ପଡିଲା ବିରିୟାନୀ; ଜାଣନ୍ତୁ ତାଙ୍କ ସଂଘର୍ଷ କାହାଣୀ…

1 min read

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ୍ ଯୋଗୁଁ ଜନସାଧାରଣ ପ୍ରଭାବିତ ହୋଇଥିଲେ । ଏପରିକି ଏହାର ପ୍ରଭାବ ଜୀବନଜୀବିକା ଉପରେ ପଡିଥିଲା । କେହିକେହି ଚାକିରି ହରାଇବାକୁ ବାଧ୍ୟ ହୋଇଥିଲା ବେଳେ ଆଉ କେହିକେହି ଜୀବିକା ପରିବର୍ତ୍ତନ କରିବାକୁ ପଛାଇନଥିଲେ ।

ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ମୁମ୍ବାଇର ଅକ୍ଷୟ ପାର୍କର। କରୋନାଭାଇରସ୍ ପୂର୍ବରୁ ସେ ଇଣ୍ଟରନ୍ୟାସନାଲ କ୍ରୁଜରେ ଜଣେ ରୋଷେୟା ଭାବରେ କାର୍ଯ୍ୟ କରୁଥିଲେ। ଏପରିକି ତାଙ୍କର ଦରମା ମାସକୁ ୬୬ ହଜାର ଟଙ୍କା ଥିଲା । ହେଲେ ଚାକିରି ହରାଇବା ପରେ ଆଗାମୀ ଦିନରେ ସେ କିପରି ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ପଡିଯାଇଥିଲେ। ତଥାପି ସେ ହାର ନମାନି ନିଜର ଏକ ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଅଣ୍ଟା ଭିଡିଥିଲେ । ଏବେ ସେ ଦାଦର ଓ୍ୱେଷ୍ଟରେ ଶିବାଜୀ ମନ୍ଦିର ସମ୍ମୁଖରେ ‘ପାରକର ବିରିୟାନୀ ହାଉସ୍’ ନାମକ ଏକ ଷ୍ଟଲ୍ ଚଲାଉଛନ୍ତି ।

ଏହି ସେଫ୍ ଜଣକ ଦିନେ ତାଜ ହୋଟେଲରେ କାମ କରୁଥିଲେ-

ହୋଟେଲ ତାଜରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଅକ୍ଷୟ ପାଖାପାଖି ଚାରି ବର୍ଷ ଧରି ସେଠାରେ କାମ କରିଥିଲେ। ତା’ପରେ ସେ ଇଣ୍ଟରନ୍ୟାସନାଲ କ୍ରୁଜରେ ଚାକିରି ପାଇଥିଲେ । ଗତ ସାତ ବର୍ଷ ଧରି ସେ ଜଣେ ରୋଷେୟା ଭାବରେ କ୍ରୁଜରେ କାମ କରୁଥିଲା ବେଳେ ତାଙ୍କ ଦରମା ମାସକୁ ୯୦୦୦ ଡଲାର (୬୬ ହଜାର ଟଙ୍କା) ଥିଲା । ହେଲେ ଏହି ମହାମାରୀ ଯୋଗୁଁ ଚାକିରି ହରାଇବାରୁ ତାଙ୍କ ଜୀବନ ଏକପ୍ରକାର ପ୍ରଭାବିତ ହୋଇଥିଲା ।

ଅକ୍ଷୟଙ୍କ ମତରେ ତାଙ୍କର ଅଧିକାଂଶ ଆୟ ମାଆ-ବାପାଙ୍କ ଚିକିତ୍ସାରେ ଖର୍ଚ୍ଚ ହେଉଥିଲା । ଚାକିରି ହରାଇବା ପରେ ସମସ୍ୟା ଆରମ୍ଭ ହୋଇଥିଲା । ସଞ୍ଚିତ ଥିବା ଅର୍ଥରେ ପ୍ରାୟ ଦୁଇ ମାସ ଭଲରେ କଟିଥିଲା । ହେଲେ ଅଗଷ୍ଟ ମାସ ବେଳକୁ ଆର୍ଥୀକ ସ୍ଥିତି ବିଗିଡିବାରେ ଲାଗିଥିଲା । ପରିବାର ପ୍ରତିପୋଷଣ ଦାୟିତ୍ୱ ମୋ ଉପରେ ପଡୁଥିବାରୁ ମୋତେ କିଛିନା କିଛି କରିବାରେ ଥିଲା ବୋଲି ସେ ପ୍ରକାଶ କରିଛନ୍ତି।

ସାଙ୍ଗମାନେ ବିରିୟାନୀ ବିକ୍ରି କରିବାକୁ ପରାମର୍ଶ ଦେଇଥିଲେ-

ସେ ସମୟରେ ସାଙ୍ଗମାନେ ପରାମର୍ଶ ଦେଇଥିଲେ ଯେ ତୁ ବିରିୟାନୀ ବହୁତ ଭଲ ବନାଉ, ତେଣୁ ନିଜର ଗୋଟିଏ ବିରିୟାନୀ ଷ୍ଟଲ୍ ଖୋଲ । ଆଉ ରାସ୍ତା କଡ଼ରେ ଲୋକମାନଙ୍କୁ କମ୍ ଦାମରେ ପାଞ୍ଚ ତାରକା ହୋଟେଲ୍ ଭଳି ଖାଇବା ମିଳିଲେ ଗ୍ରାହକଙ୍କ ଭିଡ ଜମିବ।

ମୋ ପାଖରେ ରୋଷେଇ କରିବାର ଦଶ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ହେଲେ ବିରିୟାନୀ ତିଆରି କଲେ କେଉଁଠି ବିକ୍ରି କରିବି, ସେନେଇ ଜାଣିପାରୁନଥିଲି। ଏଥିରେ ମୋତେ ସହଯୋଗ କରିଥିଲେ ମୋ ପଡେଶୀ । ଏମିତିକି ସେ ତାଙ୍କ ପାଓଭାଜି ଠେଲା ପାଖରେ ମୋତେ ଜାଗା ଦେଇଥିଲେ ।

ସବୁ କିଛି ଠିକ୍ ହେଲା ପରେ ଅଗଷ୍ଟରୁ ବିରିୟାନୀ କାମ ଆରମ୍ଭ କଲି । ଯେଉଁଥିପାଇଁ ଦଶରୁ ପନ୍ଦର ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

ମୁଁ ଉଭୟ ଭେଜ୍ ଏବଂ ଚିକେନ୍ ବିରିୟାନୀ ବନାଇବାକୁ ଲାଗିଲି । ଯଦି କେହି ଅର୍ଡର ଦିଅନ୍ତି ତାହେଲେ ଘରୁ ମଟନ୍ ବିରିୟାନୀ ପ୍ରସ୍ତୁତ କରିକି ନିଏ । ପ୍ରଥମେ ପ୍ରଥମେ କେବଳ ଦୁଇରୁ ଚାରି ଜଣ ଗ୍ରାହକ ଆସୁଥିବା ବେଳେ ଧିରେଧିରେ ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଲା । ଏବେ ମୁଁ ପ୍ରତିଦିନ ଅତି କମରେ ୭୦ ବିରିୟାନୀ ପ୍ୟାକେଟ୍ ବିକ୍ରି କରୁଛି।

ନିଜର ବିରିୟାନୀ ଷ୍ଟଲ୍ କରିବା ପରେ ଆଉ ଚାକିରି କରିବାକୁ ଇଚ୍ଛା ହେଉନାହିଁ । ମୋ ବିରିୟାନୀ ଟେଷ୍ଟକୁ ଗ୍ରାହକଙ୍କ ଭଲ ରେସପୋନ୍ସ ମିଳିବାରେ ଲାଗିଛି । ଏବେ ମୁଁ ଅନଲାଇନ୍ ଅର୍ଡର ଯୋଗାଇବା ଲାଗି ପ୍ରଚେଷ୍ଟା ଚଳାଇଛି ।

ତେବେ ଏହି ଅବଧି ଭିତରେ ଜାଣିପାରିଲି ଯେ ଯଦି ଆପଣଙ୍କର ଦକ୍ଷତା ରହିଛି ତାହେଲେ ଚେଷ୍ଟା କଲେ ସଫଳତା ନିଶ୍ଚୟ ମିଳିବ ବୋଲି ଅକ୍ଷୟ କହିଛନ୍ତି।

Leave a Reply