ଦୁଇ ଦଶନ୍ଧି ପରେ ଦୁର୍ଗ ଏବେ ବି ଅଭେଦ୍ୟ,ବିରୋଧୀଙ୍କ ପାଖରେ ନାହିଁ ବିକଳ୍ପ ହେବାର ଗ୍ରହଣୀୟତା

ଭୁବନେଶ୍ୱର: ୧୯୯୯ ଲୋକ ସଭା ନିର୍ବାଚନ, ୨୦୦୦ ବିଧାନସଭା ନିର୍ବାଚନ ଏବଂ ଏହା ପରେ ୪ଥର ଏକକାଳୀନ ରାଜ୍ୟରେ ହୋଇଥିବା ବିଧାନସଭା ଓ ଲୋକ ସଭା ନିର୍ବାଚନରେ ଗୋଟିଏ ସାମଞ୍ଜସ୍ୟ ଦେଖିବାକୁ ମିଳିଛି । ତାହା ହେଲା ବିଜେଡିର ସ୍ଥାୟୀ ସଫଳତା । ଆଉ ବିରୋଧୀ ଦଳର ଲଗାତର ଖରାପ ପ୍ରଦର୍ଶନ । ୧୯ ବର୍ଷ ଧରି ବିରୋଧୀ ଦଳରେ ଥିବା କଂଗ୍ରେସ ତୃତୀୟ ସ୍ଥାନକୁ ଚାଲି ଯାଇଛି । ଏକଦା ତୃତୀୟ ସ୍ଥାନରେ ଥିବା ଭାଜପା ଦ୍ୱିତୀୟ ସ୍ଥାନକୁ ଯାଇଛି । ହେଲେ କଂଗ୍ରେସ ପରି ସେହି ସ୍ଥାନରେ ହିଁ ସ୍ଥିର ରହିଛି ।

କେତେକ ସମୀକ୍ଷକ କହିବେ ଯେ, ଉପନିର୍ବାଚନ ସାଧାରଣତଃ ଶାସକ ଦଳ ସପକ୍ଷକୁ ଯାଇଥାଏ । ନ ହେଲେ ପୂର୍ବ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ପରିବାର ସଦସ୍ୟଙ୍କ ନିକଟକୁ । ହେଲେ ଓଡ଼ିଶାରେ ସମାନ ସମୟରେ ୨ଟି ବିପରୀତ କଥା ଦେଖିବାକୁ ମିଳିଛି । ଶାସକ ବିଜେଡି ପକ୍ଷରୁ କରାଯାଇଥିବା ପ୍ରାର୍ଥୀ ତିର୍ତ୍ତୋଲରେ ବିଜୟୀ ହୋଇଛନ୍ତି । ସେଠାରେ ଶାସକ ଦଳକୁ ଅନୁକମ୍ପା ମିଳିଛି । ହେଲେ ବାଲେଶ୍ୱରରେ ସମ୍ପୂର୍ଣ୍ଣ ବିପରୀତ ଫଳ ମିଳିଛି । ସେଠାରେ ପୂର୍ବରୁ ବିଜୟୀ ହୋଇଥିବା ଦିବଂଗତ ନେତାଙ୍କ ପୁତ୍ରକୁ ବିଜେପି ପ୍ରାର୍ଥୀ କରିଥିଲା । ମାତ୍ର ସେଠାରେ ବିଜେଡି ପ୍ରାର୍ଥୀ ହିଁ ବିଜୟୀ ହେଲେ । ତେଣୁ ରାଜନୀତିରେ ସବୁ ସମୟରେ ଅନୁକମ୍ପା କାମ କରି ନ ଥାଏ ବୋଲି ପ୍ରମାଣିତ ହୋଇଛି ।

ଏହା କେବଳ ତିର୍ତ୍ତୋଲ, ବାଲେଶ୍ୱର ନୁହେଁ । ପୂର୍ବରୁ ପାଟକୁରା, ବିଜେପୁର, କନ୍ଧମାଳ ଲୋକ ସଭା ଆସନରେ ପ୍ରମାଣିତ ହୋଇ ସାରିଛି । ଜାତୀୟ ରାଜନୀତିରେ ଅନ୍ୟ ରାଜ୍ୟରେ ଭାଜପା ଉପନିର୍ବାଚନରେ ପ୍ରଭାବୀ ପ୍ରଦର୍ଶନ କରିଥିବା ବେଳେ ଓଡ଼ିଶାରେ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ପଡୋଶୀ ତେଲେଙ୍ଗାନାରେ ଭାଜପା ପ୍ରାର୍ଥୀ ଉପନିର୍ବାଚନରେ ବିଜୟୀ ହୋଇ ପାରିଛନ୍ତି । ସେଠାରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) ପରେ କଂଗ୍ରେସ ନୁହେଁ । ଭାଜପା ବିରୋଧୀ ଦଳ ଭାବେ ଉଭା ହୋଇଛି । ଅନ୍ୟ ରାଜ୍ୟରେ ତ ଭାଜପା ଏକ ପ୍ରକାର ମୂଳପୋଛ କରିଛି । ହେଲେ ଓଡ଼ିଶାରେ ନବୀନ ପଟ୍ଟନାୟକ ଏବଂ ବିଜେଡିର ଯେଉଁ ରାଜନୈତିକ ଦୁର୍ଗ ରହିଛି । ତାହା ଅଭେଦ୍ୟ ରହିଛି । କଂଗ୍ରେସକୁ ହଟାଇ ବିରୋଧୀ ଦଳ ଆସନରେ ବସିବାକୁ ସକ୍ଷମ ହୋଇଛି । ହେଲେ ବିକଳ୍ପ ହେବାର ଗ୍ରହଣୀୟତା ହାସଲ କରିପାରିନାହିଁ । ତେଣୁ କ୍ଷମତା ତଥା ଗ୍ରହଣୀୟତା ରାଜନୀତିରେ ନବୀନ ଅଦ୍ୱିତୀୟ ରହିଆସିଛନ୍ତି ।

ଆଉ ରହିଲା କଂଗ୍ରେସ କଥା । ରାଜ୍ୟରେ କଂଗ୍ରେସ ୨୦୦୦ ମସିହାରୁ କଂଗ୍ରେସ ଭୋଟ ପ୍ରତିଶତ ଖସି ଆସିଛି ।୨୦୦୪ରେ ଏଥିରେ ସାମାନ୍ୟ ଉନ୍ନତି ଦେଖା ଦେଇଥିଲା । ହେଲେ ୨୦୦୯,୨୦୧୪ ଏବଂ ୨୦୧୯ରେ କଂଗ୍ରେସ ତଳକୁ ହିଁ ଖସିଛି । ସେହିପରି କେନ୍ଦ୍ରରେ ଏବେ ଭାଜପା ସରକାର ରହିଛି । ତେଣୁ ଭାଜପାର ପ୍ରଦର୍ଶନ ଉନ୍ନତ ରହିଛି । କେନ୍ଦ୍ରରେ ଯଦି ଭାଜପାର ପ୍ରଦର୍ଶନ ଖରାପ ହୁଏ, ତେବେ ତାହାର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡିବ ବୋଲି ସମୀକ୍ଷକମାନେ କହିଛନ୍ତି ।

Naveen Patnaik

ଇଏ ତ ଗଲା ବିରୋଧୀଙ୍କ କଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି, ବିକାଶମୂଳକ ପଦକ୍ଷେପ, ତୃଣମୂଳରେ ଥିବା ସବୁ ଲୋକଙ୍କ ପାଇଁ ଯୋଜନା ହିଁ ତାଙ୍କୁ ଲୋକପ୍ରିୟ କରି ରଖିଛି । ତାଙ୍କ ବିକଳ୍ପ ଦୂରର କଥା । ତାଙ୍କ ସମାସସ୍କନ୍ଦ ନେତାଙ୍କ ଆବିର୍ଭାବ ହୋଇ ପାରିନାହିଁ । ଯେଉଁମାନଙ୍କୁ ତାଙ୍କୁ ନିଜର ବିକଳ୍ପ ବୋଲି ଓଡ଼ିଶାବାସୀଙ୍କ ଆଗରେ ଦେଖାଇଛନ୍ତି । ସେ ସମସ୍ତ ବ୍ୟକ୍ତି ସମୟ ସୂଅରେ ଆଜି ଏକାକୀ । ସାଧାରଣ ଲୋକଙ୍କଠାରୁ ବହୁ ଦୂରରେ । ରାଜନୀତିରେ ଅଦରକାରୀ ଭାବେ ପ୍ରତୀୟମାନ ବ୍ୟକ୍ତି । ସେହିପରି ବିଜେଡି ଦଳ ଦକ୍ଷିଣପନ୍ଥୀ କିମ୍ବା ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ନୁହେଁ । ହେଲେ ଯେତେବେଳେ ନିର୍ବାଚନ ପରିଚାଳନା କଥା ଆସେ, ତେବେ ବିଜେଡିର ମାଇକ୍ରୋ ମ୍ୟାନେଜମେଣ୍ଟରେ ସମସ୍ତଙ୍କୁ ମାତ୍ ଦେଇ ଦିଏ । ପଞ୍ଚାୟତସ୍ତରୀୟ ନିର୍ବାଚନ ହେଉ କି ଉପନିର୍ବାଚନ ସବୁଠି ସଫଳତା ପାଇଥାଏ ବିଜେଡି । ଅନ୍ୟ ସମସ୍ତ ଦଳ ପ୍ରଚାର ସମୟରେ ନିଜ ସର୍ବୋଚ୍ଚ ନେତାଙ୍କ ଲମ୍ବା ଭାଷଣକୁ ପ୍ରଚାରର ଅସ୍ତ୍ର କରିଥାଆନ୍ତି । ହେଲେ ନବୀନ କେଇ ପଦ କଥାରେ ହିଁ ରାଜନୈତିକ ସଭା ସାରି ଦିଅନ୍ତି । କାହାକୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରନ୍ତି ନାହିଁ । ଯାହା ତାଙ୍କୁ ଭୋଟରଙ୍କ ମନରେ ସ୍ଥାୟୀ ରାଜନୈତିକ ଅଭେଦ୍ୟ ବ୍ୟକ୍ତି କରି ରଖିଛି ।

 

 

Leave a Reply