ଆଜି ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ, ଦେଶର ସର୍ବ ବୃହତ ହକି ଷ୍ଟାଡିୟମର କରିବେ ଶିଳାନ୍ୟାସ

ଭୁବନେଶ୍ୱର: ବିକାଶର ମହାପର୍ବରେ ସାମିଲ ହେବ ସୁନ୍ଦରଗଡ଼ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ସକାଳ ସାଢେ ୧୧ଟାରେ ରାଉରକେଲା ପହଞ୍ଚିବେ ନବୀନ । ସେଠାରୁ ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳକୁ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ସାଧାରଣ ସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ୪ ହଜାର ୮ଶହ କୋଟିର ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ରାଉରକେଲାରେ ନିର୍ମାଣ ହେବାକୁ ଥିବା ଦେଶର ସର୍ବ ବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ କରିବେ ନବୀନ ପଟ୍ଟନାୟକ । ଜିଲ୍ଲାର ୧୭ ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯିବ । ୧୨ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଓ ୩୫୧କୋଟି ଟଙ୍କା ବ୍ୟୟ ଅଟକଳରେ ୧୧ଟି ବୃହତ ଉଠା ଜଳସେଚନ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି ।

ସେହିପରି ବିଭିନ୍ନ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୧୬୧୧ କୋଟି ଟଙ୍କା । ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ୧୦ ଟି କସ୍ତୁରବା ଗାନ୍ଧି ଆବାସିକ ବାଳିକା ବିଦ୍ୟାଳୟର, ଓଡିଶା ଆଦର୍ଶ ବିଦ୍ୟାଳୟର ୧୭ ଟି ଛାତ୍ର ନିବାସ ଏବଂ ୧୬ ଟି ଛାତ୍ରୀ ନିବାସ ପାଇଁ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ । ଏଥିସହ ଅନ୍ୟାନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

Leave a Reply