ଜାଣିଶୁଣି ଅବୁଝା ହେଲେ କିଏ ବୁଝେଇବ : ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

1 min read

ଭୁବନେଶ୍ୱର:  କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ସିଧାସଳଖ କରାଯାଉଛି । ଏହି ବ୍ୟବସ୍ଥା ହିଁ ତ ସ୍ୱାୟତ୍ତତାକୁ ନଷ୍ଟ କରୁଛି । ସେହିପରି ଗୁଜରାଟରେ ରାଜ୍ୟ ସରକାର ସିଧାସଳଖ ନିଯୁକ୍ତି ମାଧ୍ୟମରେ କୁଳପତିମାନଙ୍କୁ ଅବସ୍ଥାପିତ କରୁଛନ୍ତି । ସେଠାରେ କୁଳାଧିପତିଙ୍କ ଦସ୍ତଖତ ମଧ୍ୟ ଆବଶ୍ୟକତା ପଡୁନାହିଁ । ପଞ୍ଜାବରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ୫ଜଣଙ୍କ ନାଁ ସୁପାରିଶ କରୁଛି । ସେଥିରୁ ମାତ୍ର ଜଣଙ୍କ ନାଁ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ପଠାଉଛନ୍ତି । କର୍ନାଟକ ଏବଂ ତେଲେଙ୍ଗାନାରେ ରାଜ୍ୟ ସରକାର ୩ଟି ନାଁ ତାଙ୍କ ତରଫରୁ ଦେଉଛନ୍ତି । ପଶ୍ଚିମବଙ୍ଗରେ ତ ରାଜ୍ୟ ସରକାରଙ୍କ ସଙ୍ଗେ କଥାବାର୍ତ୍ତା ହୋଇ ରାଜ୍ୟପାଳଙ୍କୁ କୁଳପତି ନିଯୁକ୍ତି କରିବାକୁ ପଡୁଛି । ବିହାରରେ ମଧ୍ୟ ସରକାର କୁଳପତି ନିଯୁକ୍ତିରେ ସିଧାସଳଖ ହସ୍ତକ୍ଷେପ କରୁଛନ୍ତି ।

ଅପରପକ୍ଷରେ ଓଡ଼ିଶାରେ ସର୍ଚ୍ଚ କମିଟି ପକ୍ଷରୁ ୩ଟି ନାଁ ସୁପାରିଶ କରାଯିବ । ତନ୍ମଧ୍ୟରୁ ଜଣଙ୍କୁ ରାଜ୍ୟପାଳ ନିଜ ବିଚାର ଅନୁସାରେ ନିଯୁକ୍ତି କରିବେ । କାହାକୁ ନିଯୁକ୍ତି କରିବେ, ସେ କଥା ପଚାରିବାର ବି ଆବଶ୍ୟକତା ନାହିଁ । ଏହି ଉଦାହରଣରୁ ସ୍ପଷ୍ଟ ଯେ, ଓଡ଼ିଶାରେ କୁଳପତିମାନଙ୍କ କ୍ଷମତାକୁ ସଙ୍କୁଚିତ କରାଯାଉନାହିଁ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ-୨୦୨୦ ଗୃହୀତ ହେବା ପରେ ଏକ ବିତର୍କରେ ଭାଗ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଛନ୍ତି ।


ରାଜ୍ୟର ଉଚ୍ଚଶିକ୍ଷାର ରାଜନୀତିକରଣ ହେଉଥିବା କେତେକ ବିରୋଧୀ ଓ ବୁଦ୍ଧିଜୀବୀ ଆଶଙ୍କା କରୁଛନ୍ତି । ଏହି ପ୍ରଶ୍ନର ଉତ୍ତର ଦେଇ କହିଲେ । ପୂର୍ବରୁ କଲେଜ ଗଭର୍ଣ୍ଣିଂ ବଡିରେ ବିଧାୟକ ରହୁଥିଲେ । ଏହି ପଦ୍ଧତିରେ ତ ଶାସକ ଦଳର ଅଧିକ ବିଧାୟକ କଲେଜ ସହ ସଂପୃକ୍ତ ହେଉଥିଲେ । ଆମେ ତ ସେହି ବ୍ୟବସ୍ଥା ଉଚ୍ଛେଦ କଲୁ । ବିଧାୟକ ନୁହେଁ, ଶିକ୍ଷାବିତଙ୍କୁ ପ୍ରାଧାନ୍ୟ ଦେଲୁ । ଏହା କଣ ଶିକ୍ଷାର ଅଣରାଜନୀତିକରଣ ନୁହେଁ କି । ତେଣୁ କୌଣସି ପ୍ରସଙ୍ଗକୁ ନ ବୁଝି ବିରୋଧ କଲେ ତାଙ୍କୁ କିପରି ବୁଝାଯିବ ବୋଲି ଅରୁଣ କହିଛନ୍ତି । ୩୧ ପୂର୍ବେ ଯେଉଁ ଆଇନ ଥିଲା, ସେ ସମୟର ବିଶ୍ୱବିଦ୍ୟାଳୟର ସଂଖ୍ୟାକୁ ଦେଖିଲେ ଠିକ୍ ଥିଲା । ତିନି ଦଶନ୍ଧିରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଏହି ପରିବର୍ତ୍ତନ ସମୟର ଆବଶ୍ୟକତା । ଯେଉଁମାନେ ଭାବୁଛନ୍ତି ସ୍ୱାୟତ୍ତତା ଥିଲା, ତେବେ ସେମିଷ୍ଟାର ହେବା, ଖାତା ଦେଖା କାହିଁକି ବିଳମ୍ବ ହେଉଥିଲା । ତେଣୁ ଏହି ପରିବର୍ତ୍ତନ ଅଧିକ ସ୍ୱାୟତ୍ତତା ବୃଦ୍ଧି କରିବ ବୋଲି ମନ୍ତ୍ରୀ କହିଛନ୍ତି ।


ଗବେଷଣାଗତ ଜ୍ଞାନ ବୃଦ୍ଧି ପାଇଁ ବିଶ୍ୱବିଦ୍ୟାଳୟଗୁଡିକର ପରିକଳ୍ପନା କରାଯାଇଥିଲା । ହେଲେ ବର୍ତ୍ତମାନ ବ୍ୟବସ୍ଥା ସେଥିରେ ଅନ୍ତରାୟ ସୃଷ୍ଟି କରୁଥିଲା । ପ୍ରଶିକ୍ଷକମାନେ ଅନ୍ୟ ଗୁଡିକ ପ୍ରଶାସନିକ କାର୍ଯ୍ୟ ଯଥା-ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ, ଚୟନ ଇତ୍ୟାଦିରେ ସମୟ ଅତିବାହିତ କରୁଥିଲେ । ବର୍ତ୍ତମାନ ଏକ ଉତ୍ତମ ସଂସ୍ଥା ସେ ଦାୟିତ୍ୱ ନେବ, ଏହା ଦ୍ୱାରା ସମୟ ବଞ୍ଚିବ । ସେମାନେ ଶିକ୍ଷାଦାନକୁ ଅଧିକ ଗୁରୁତ୍ୱ ଦେବେ ବୋଲି ମନ୍ତ୍ରୀ ଦୃଢ ଦାବି କରିଛନ୍ତି ।

Leave a Reply