ଚୀନ୍‌ରୁ କରୋନା ଭାଇରସ୍‌ ଉତ୍ପତି ନେଇ କୌଣସି ପ୍ରମାଣ ନାହିଁ: WHO

WHO

କେଉଁଠୁ ବ୍ୟାପିଲା କରୋନା ? ତାର ଉତ୍ତର ଏବେ ବି ମିଳୁନି । ସାରା ବିଶ୍ୱ ଏଥିପାଇଁ ଚୀନକୁ ଦାୟୀ କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କିନ୍ତୁ ଭିନ୍ନ ଆଭିମୁଖ୍ୟ ଦେଖିବାକୁ ମିଳିଛି । ଡବ୍ଲୁଏଚଓ ପୁଣି ଥରେ ଚୀନକୁ ଘଣ୍ଟ ଘୋଡାଇଛି । ଚୀନରୁ କରୋନା ବ୍ୟାପିନାହିଁ ବୋଲି କହିଛି ଡବ୍ଲୁଏଚ୍‌ଓ ।

ଡିସେମ୍ବର ୨୦୧୯ ପୂର୍ବରୁ ଚୀନରେ କରୋନାର ଚିହ୍ନବର୍ଣ୍ଣ ନଥିଲା । ଚୀନରେ ଅନୁଧ୍ୟାନ ପରେ ଉତ୍ତର ରଖିଲା ଡବ୍ଲୁଏଚଓ । କରୋନା ଚୀନରେ ହିଁ ସୃଷ୍ଟି ହୋଇଥିଲା ଏହାର କୌଣସି ପ୍ରମାଣ ପାଇନାହିଁ ଡବ୍ଲୁଏଚଓ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଚାଇନିଜ୍‌ ଏକ୍ସପର୍ଟ ମିଶନ ମିଳିତ ଭାବେ ଏନେଇ ଗବେଷଣା କରୁଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ନକରାତ୍ମକ ଉତ୍ତର ରଖିଛନ୍ତି ଅନୁଧ୍ୟାନକାରୀ ଦଳ । ଡିସେମ୍ବର ୨୦୧୯ ପୂର୍ବରୁ ପୁରା ଦେଶରେ କେଉଁଠି ବି କରୋନା ଭାଇରସର ଲକ୍ଷଣ ନଥିଲା । କରୋନାର କୌଣସି ପ୍ରମାଣ ମଧ୍ୟ ମିଳିନାହିଁ ବୋଲି କୁହାଯାଇଛି ।

ସାରା ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ୧୦ କୋଟି ୬୪ ଲକ୍ଷରୁ ଅଧିକ ହୋଇଥିବା ବେଳେ ଏହାର ଉତ୍ପତି ସାରା ବିଶ୍ୱ ପାଇଁ ପ୍ରଶ୍ନ ପାଲଟିଛି । ୨୦୧୯ ଡିସେମ୍ବରରେ ପ୍ରଥମେ ଚାଇନାରେ ହିଁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାକୁ ଅନେକ ରାଷ୍ଟ୍ର ଚାଇନା ଭାଇରସ ବୋଲି କହୁଥିଲେ । କିନ୍ତୁ ଡବ୍ଲୁଏଚଓର ଏବେର ଅନୁସନ୍ଧାନ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଯଦି ଚୀନ କରୋନା ପାଇଁ ଦାୟୀ ନୁହେଁ ତାହାଲେ ଭାଇରସର ଉତ୍ପତି ସ୍ଥଳ କେଉଁଠି ? ବିଶ୍ୱରେ କରୋନା ସଂକ୍ରମଣ କେଉଁଠୁ ଆରମ୍ଭ ହେଲା ? ଡବ୍ଲୁଏଚଓ ଜାଣିଶୁଣି ଚୀନକୁ ନିର୍ଦ୍ଦୋଷ କହୁଛି କି ? ଗବେଷଣା ବେଳେ ଡବ୍ଲୁଏଚଓ ଆଗରେ କିଛି ତଥ୍ୟ ଲୁଚାଇଛି କି ଚୀନ୍‌ ? ଏଭଳି ପ୍ରଶ୍ନ ଏବେ ସବୁରିଙ୍କ ମନରେ ।

ଅନ୍ୟପଟେ କରୋନା ମହାମାରୀ ଭିତରେ ବିଶ୍ୱର ଅନେକ ଦେଶରେ ଟିକାକରଣ ଆରମ୍ଭ ହୋଇଗଲାଣି । ହେଲେ ଇଂଲଣ୍ଡ, ଇଟାଲୀ, ଋଷିଆ ଏବଂ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ ତାଣ୍ଡବ ସୃଷ୍ଟି କରିଥିବା ଦେଖାଦେଇଛି । ତେଣୁ ଏବେ ବି ବିଶ୍ୱ କରୋନାକୁ ନେଇ ଭୟଭୀତ ରହିଛି ।

Leave a Reply