NMA ବାଇ ଲ’ କୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ, କହିଲେ ଜଗନ୍ନାଥଙ୍କ କାର୍ଯ୍ୟକୁ କେହି ବନ୍ଦ କରିପାରିବେ ନାହିଁ

1 min read

ପୁରୀ: କୋଭିଡ୍ କାଳ ପରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପୁରୀରେ ପହଂଚିଥିଲେ । ହେଲିପ୍ୟାଡରୁ କାର ଯୋଗେ ସେ ବଡଦାଣ୍ଡରେ ପହଂଚିଥିଲେ । ମୁଖ୍ୟମନ୍ତ୍ରୀ ବଡଦାଣ୍ଡରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରି ଭକ୍ତ ଜୟ ଜଗନ୍ନାଥର ଧ୍ୱନୀ ଦେଇଥିଲେ । ବଡଦାଣ୍ଡରେ ଉପସ୍ଥିତ ଥିବା ଭକ୍ତଙ୍କ ଅଭିବାଦନକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ଗର୍ଭଗୃହରେ ସେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ଦର୍ଶନ ସାରିବା ପରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟ ରଖିଥିଲେ ।
ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ଦ୍ୱାରା ଜାରି ବିଜ୍ଞପ୍ତିକୁ ବିରୋଧ କରିଛନ୍ତି । ନିଜ ବକ୍ତବ୍ୟରେ ସେ ଏନଏମଏକୁ ଚିଠା ପ୍ରସ୍ତାବ ବାତିଲ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଜଗନ୍ନାଥଙ୍କ କାର୍ଯ୍ୟକୁ କେହି ମଧ୍ୟ ବନ୍ଦ କରି ପାରିବେ ନାହିଁ ।

ସୂଚନାଯୋଗ୍ୟ ଯେ, ଜାତୀୟ ସ୍ମାରକୀ ପ୍ରାଧିକରଣ ଦ୍ୱାରା ଜାରି ବିଜ୍ଞପ୍ତିରେ ଶ୍ରୀମନ୍ଦିରକୁ ମୁସଲମାନଙ୍କ ସମାଧି ଓ ସ୍ମାରକୀ ସହିତ ସମାନ ଭାବେ ଦର୍ଶାଯାଇଛି । ଓଡ଼ିଶାରେ ଜଗନ୍ନାଥ ଚଳନ୍ତି ଠାକୁର ଭାବେ ପରିଚିତ ଥିବା ବେଳେ ଏନଏମଏର ଏଭଳି କାର୍ଯ୍ୟକୁ ବ୍ୟାପକ ବିରୋଧ କରିଛନ୍ତି । ସମାଧୀ,କବରଖାନା କେମିତି ଏକ ଜୀବନ୍ତ ମନ୍ଦିର ସହ ତୁଳନୀୟ ବୋଲି ପ୍ରଶ୍ନ ଉଠୁଛି ।

 

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଭକ୍ତଙ୍କ ଯୋଗଦାନକୁ ପ୍ରଶଂସା କରିଛନ୍ତି । ମନ୍ଦିର ପ୍ରକଳ୍ପ ପାଇଁ ଯେଉଁମାନେ ଜମି ଛାଡିଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ କାଳରେ ଆଜି ତାଙ୍କ ସହିତ 5T ସଚିବ ଭି.କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଉପସ୍ଥିତ ଥିଲେ ।

 

Leave a Reply