ସ୍ୱର୍ଗଦ୍ୱାରରେ ସୁଶୀଳା ଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ..

1 min read

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରବିବାର ବିଳମ୍ବିତ ରାତିରେ ସୁଶୀଳା ଦେବୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସୋମବାର ସକାଳୁ ତାଙ୍କ ପରଲୋକ ଖବର ଚାରିଆଡ଼େ ଖେଳିଯାଇଥିଲା । ଏନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଟ୍ୱିଟ୍ କରି ସୂଚନା ଦେଇଥିଲେ । ନଭେମ୍ବର ୧ରେ କରୋନା ଆକ୍ରାନ୍ତ ହୋଇ ସୁଶୀଳା ଦେବୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୬ ଡିସେମ୍ବର ୧୯୪୬ରେ ହରିୟାଣାରେ ଜନ୍ମଗ୍ରହଣ କରିଥିଲେ ସୁଶୀଳା ଦେବୀ ।

ସୁଶୀଳା ଦେବୀଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଜଣେ ଧର୍ମ ପରାୟଣା ଓ ପରୋପକାରୀ ମହିଳା ଥିଲେ ବୋଲି କହିଛନ୍ତି । ପ୍ରଫେସର ଗଣେଶୀ ଲାଲ ଓ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ନବୀନ । ସେହିପରି ଆନ୍ଧ୍ରପ୍ରଦେଶ ଗଭର୍ଣ୍ଣର ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି । ସେ ଜଣେ ନମ୍ର ସ୍ୱଭାବର ମହିଳା ଥିଲେ । ଗରିବ ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ଭେଙ୍କଟେଶ୍ୱରଙ୍କ ନିକଟରେ ସୁଶୀଳା ଦେବୀଙ୍କ ଆତ୍ମାର ସଦଗତି କାମନା କରିବା ସହ ପରିବାର ଓ ଗଣେଶୀ ଲାଲଙ୍କୁ ସମବେଦନା ଜଣାଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଗଭୀର ଶୋକ ବ୍ୟକ୍ତି କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଅନ୍ୟପଟେ ସୁଶୀଳା ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରକାଶ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ସବୁ ଦଳ ସମର୍ଥନ ଜଣାଇଥିଲେ । ସୁଶୀଳା ଦେବୀ ଜଣେ ପରୋପକାରୀ ମହିଳା ଥିଲେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ବିରୋଧୀ ଦଳନେତା ପ୍ରଦିପ୍ତ ନାୟକ । ସେହିଭଳି କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ସୁଶୀଳାଙ୍କୁ ସମ୍ମାନ ଜଣାଇ ଗୃହକୁ ମୁଲତବି ରଖିବାକୁ ନରସିଂହ ବାଚସ୍ପତିଙ୍କୁ ନିବେଦନ କରିଥିଲେ । ସିପିଆଇ ନେତା ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଗୃହରେ ଶୋକ ପ୍ରକାଶ କରିଥିଲେ ।

୭୪ ବର୍ଷୀୟା ସୁଶୀଳା ଦେବୀଙ୍କ ପରଲୋକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସୁଶୀଳାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଗୃହରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସୁଶୀଳାଙ୍କୁ ସମ୍ମାନ ଦେଇ ପ୍ରଥମାର୍ଦ୍ଧରେ ଗୃହରେ କୌଣସି କାର୍ଯ୍ୟ କରାଯିବ ନାହିଁ ବୋଲି ବାଚସ୍ପତି ଘୋଷଣା କରିଥିଲେ ।

Leave a Reply