ଛାତ୍ରଛାତ୍ରୀଙ୍କୁ ସହାୟତାର ହାତ ବଢ଼େଇଲା ଓଡ଼ିଶା ମୋ ପରିବାର

1 min read

FILE

ଭୁବନେଶ୍ୱର: ଜେଇଇ ମେନ୍‍ ଓ ନିଟ୍ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ଲାଗି ସହାୟତାର ହାତ ବଢ଼େଇଛି ଓଡ଼ିଶା ମୋ ପରିବାର । ଆସନ୍ତା ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ବନ୍ୟା ଓ କରୋନା ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ଯେପରି ସୁରୁଖୁରୁରେ ପରୀକ୍ଷା ଦେଇପାରିବେ ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷାର୍ଥୀମାନେ ଯେଭଳି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ ଦିଗରେ ସମ୍ଭାବ୍ୟ ସହାୟତା ଗ୍ରହଣ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

FILE

ସ୍ୱେଚ୍ଛାସେବୀ ତଥା ସଦସ୍ୟମାନଙ୍କୁ ସାମିଲ୍ କରି ପରୀକ୍ଷାର୍ଥୀ, ରାଜ୍ୟ ପ୍ରଶାସନ ଓ ସେମାନଙ୍କ ନୋଡାଲ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରି ସହାୟତା ଲାଗି ପଦକ୍ଷେପ ନିଆଯାଉଛି ବୋଲି ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି । ସମସ୍ତ ଜିଲ୍ଲାରେ ମୋ ପରିବାରର ପ୍ରତିନିଧିମାନେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି । ଛାତ୍ରଛାତ୍ରୀମାନେ ପରୀକ୍ଷାସ୍ଥଳକୁ ଯିବାକୁ ଥିବା ଛାତ୍ରଛାତ୍ରୀମାନଙ୍କ ଯାତାୟତଜନିତ ସମସ୍ୟାର ସମାଧାନ ଲାଗି ଚେଷ୍ଟା କରିବ ଓଡ଼ିଶା ମୋ ପରିବାର । ପରୀକ୍ଷା କେନ୍ଦ୍ର ନିକଟରେ ଓଡ଼ିଶା ମୋ ପରିବାର ପକ୍ଷରୁ ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି ।

ଯେଉଁଠାରେ ସ୍ୱେଚ୍ଛାସେବୀମାନେ ସକାଳ ୭ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଉପସ୍ଥିତ ରହିବେ । ପରୀକ୍ଷା କେନ୍ଦ୍ର ନିକଟରେ ପ୍ରାର୍ଥୀ ତଥା ସେମାନଙ୍କ ସମ୍ପର୍କୀୟଙ୍କ ଲାଗି ସାନିଟାଇଜର, ପାଣି ବୋତଲ, ବିସ୍କୁଟ ପ୍ୟାକେଟ ଉପଲବ୍ଧ କରାଯାଇଛି । ପ୍ରତ୍ୟେକ ସହରରେ ଓଡ଼ିଶା ମୋ ପରିବାର ତରଫରୁ ପ୍ରତିନିଧିତ୍ୱ କରୁଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ନାମ ଓ ସେମାନଙ୍କ ମୋବାଇଲ ନମ୍ବର ଜାରି କରାଯାଇଛି । ଆବଶ୍ୟକ ସ୍ଥଳେ ଏହି ନମ୍ବରରେ ପରୀକ୍ଷାର୍ଥୀ ଓ ସେମାନଙ୍କର ଅଭିଭାବକମାନେ ଯୋଗାଯୋଗ କରିପାରିବେ ।

Leave a Reply