ଲଗାଣ ବର୍ଷାରେ ବଢ଼ୁଛି ଜଳସ୍ତର, ସୁବର୍ଣ୍ଣରେଖା ନଦୀରରେ ଛୁଇଁଲା ବିପଦ ସଂକେତ

1 min read

ବାଲେଶ୍ୱର: ଲଗାଣ ବର୍ଷାରେ ବଢୁଛି ଜଳସ୍ତର । ଉପରମୁଣ୍ଡରେ ବର୍ଷା ଯୋଗୁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ମଥାନୀ ନିକଟରେ ଜଳକା ନଦୀର ବିପଦ ସଂକେତ ୫.୫ ମିଟର ଥିବାବେଳେ, ସକାଳ ୭ଟା ସୁଦ୍ଧା ଏହା ୭.୦୪ ମିଟରରେ ପ୍ରବାହିତ ହେଉଛି । ସେହିପରି ବୁଢାବଳଙ୍ଗ ନଦୀର ଗୋବିନ୍ଦପୁର ନିକଟରେ ବିପଦ ସଂକେତ ୮.୧୩ ମିଟର ଥିବା ବେଳେ ୮.୨୦ ମିଟରରେ ବନ୍ୟାଜଳ ନିଷ୍କାସିତ ହେଉଛି ।

ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀର ବିପଦ ସଂକେତ ୧୦.୩୬ ମିଟର ରହିଛି । ସକାଳ ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୯.୩୧ ମିଟରରେ ପହଞ୍ଚିଛି । ବସ୍ତା ବ୍ଲକ୍‌ର ସାନଖୁଡ଼ି ସମେତ ୫ଟି ଗାଁ ଚାରିପାଖରେ ବନ୍ୟାଜଳ ମାଡ଼ି ଯାଇଛି । ଲଗାଣ ବର୍ଷା ଯୋଗୁଁ ସହରରୁ ରେମୁଣା ଗୋଲାଇକୁ ସଂଯୋଗ କରୁଥିବା ନୂଆସାହି ନିକଟରେ ମୁଖ୍ୟ ରାସ୍ତା ଉପରେ ପାଣି ଚାଲିବାରୁ ଯାତାୟତରେ ସମସ୍ୟା ଦେଖାଦେଇଛି । ରେମୁଣା ବ୍ଲକ୍‌ ଗଙ୍ଗପୁରା ଗାଁ ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।

ଗଳାପୋଲ ନିକଟରେ ବର୍ଷା ପାଣି ମାଡ଼ି ଯିବାରୁ ୨ଟି ପରିବାରର ୪ଜଣ ଶିଶୁଙ୍କ ସମେତ ୧୦ ଜଣ ପାଣି ଘେରରେ ରହିଯାଇଥିଲେ । ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ସୂବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀର ବନ୍ୟାଜଳ ମାଡ଼ି ଜଳେଶ୍ୱର, ବସ୍ତା, ଭୋଗରାଇ, ବାଲିଆପାଳ, ରେମୁଣା, ସଦର ବ୍ଲକ୍‌ର ଶହ ଶହ ହେକ୍ଟର ଚାଷ ଜମିରେ ପାଣି ଜମିରହିଛି । ପ୍ରଶାସନ ତରଫରୁ ସମସ୍ତ ବିଡ଼ିଓ ଓ ତହସିଲଦାର ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । NDRF ଓ ODRAFର ଗୋଟିଏ ଲେଖାଏଁ ଟିମ୍ ପ୍ରସ୍ତୁତ ରହିଛନ୍ତି ।

ସେହିଭଳି ବାଲେଶ୍ୱର ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ନଦୀର ଉପର ମୁଣ୍ଡରେ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲିଠାରୁ ବର୍ଷା ଲାଗିରହିଛି । ମଥାନୀଠାରେ ବିପଦ ସଙ୍କେତ ୫.୫୦ ଥିବାବେଳେ ସକାଳ ୬ଟା ସୁଧା ୭.୦୫ ମିଟରରେ ଜଳ ପ୍ରବାହିତ ହେଉଛି । ଫଳରେ କଟି ପୋଲ ଠାରୁ ସାନ ଖୁଡ଼ି ରାସ୍ତାରେ ୩ ଫୁଟର ପାଣି ଚାଲିଛି । କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । ସେହିପରି ବସ୍ତା ହସ୍ପିଟାଲ ମଧ୍ୟରେ ପାଣି ଜମିଛି ।

Leave a Reply