ସାରୁଅ ପରେ ପଟିଆ: ଭୁବନେଶ୍ୱରରେ ଜବରଦଖଲ ଜମି ଉପରେ OTV ଅଫିସ

ଭୁବନେଶ୍ୱର: ଖୋଲୁଛି ଜମି କେଳେଙ୍କାରୀର ଗୋଟେ ପରେ ଗୋଟେ ଫର୍ଦ୍ଦ । ଦୀର୍ଘବର୍ଷ ଧରି ନିରିହ ଲୋକଙ୍କୁ ହାଇରାନଣ ହରକତ କରିବା ପରେ ଏବେ ସାମ୍ନାକୁ ଆସୁଛି ସତ । ଓଟିଭି ଷ୍ଟୁଡ଼ିଓ ପରେ ଏବେ ଓଟିଭି ଅଫିସ ମଧ୍ୟ ଜବରଦଖଲ ଜମିରେ ନିର୍ମାଣ ହୋଇଥିବା ସାମ୍ନାକୁ ଆସିଛି । ପଟିଆରେ ନିର୍ମାଣ ହୋଇଥିବା ଓଟିଭି କାର୍ଯ୍ୟାଳୟ ଜମି ମଧ୍ୟ ଜବରଦଖଲ ତାଲିକାରେ ରହିଛି ।  ମିଳିତ ସର୍ଭେରେ ଏସବୁ ଜଣାପଡିବା ପରେ ଓଟିଭି ଅଦାଲତର ଦ୍ୱାରସ୍ଥ ହୋଇଛି । ଇଡକୋ ମଧ୍ୟ ଏ ସଂପର୍କରେ ଅଦାଲତରେ ଫେରାଦ ହୋଇଛି ।

ସୂଚନା ଅନୁସାରେ, ଇଡକୋ ପକ୍ଷରୁ ଲିଜରେ ୩୬ହଜାର ୬୭୩ ବର୍ଗଫୁଟ ଜମି ଓଟିଭିକୁ ମିଳିଥିଲା । କିନ୍ତୁ ଯେତେବେଳେ ଗତ ୨୭ ଅକ୍ଟୋବରରେ ମିଳିତ ସର୍ଭେ ହୋଇଥିଲା ସେତେବେଳେ ପ୍ରାୟ ୧୨ହଜାର ୯୮୦ ବର୍ଗଫୁଟରୁ ଅଧିକ ଜମି ଓ଼ଟିଭି  ଜବରଦଖଲ କରିଥିବା ଜଣାପଡ଼ିଥିଲା । ଏହି ଆଧାରରରେ ଓଟିଭି ଷ୍ଟୁଡ଼ିଓ ଏବଂ ମୁଖ୍ୟ କାର୍ଯ୍ୟାଳୟର କିଛି ଅଂଶ ମଧ୍ୟ ଏହି ଜବରଦଖଲ ଜମିରେ ରହିଛି । ଏହାକୁ ମାପଚୁପ କରିବା ପରେ ଓଟିଭିକୁ ନୋଟିସ ମଧ୍ୟ କରାଯାଇଥିଲା  । କିନ୍ତୁ ନୋଟିସକୁ ମାନିବାକୁ ପ୍ରସ୍ତୁତ ନଥିଲେ  ଓଟିଭି କର୍ତ୍ତୃପକ୍ଷ ଏବଂ ଘଟଣାକୁ ନେଇ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ତେବେ ସିଭିଲ ଜଜ୍ କୋର୍ଟରେ ଏହି ମାମଲା ବିଚାରଧିନ ଥିବା ବେଳେ ଏବେ ଇଡକୋ ମଧ୍ୟ କୋର୍ଟର ଦ୍ୱାରସ୍ଥ ହୋଇଛି । ନିକଟରେ ଏହି ମାମଲାର ଯେଉଁ ବିଚାର ହୋଇଥିଲା ସେଥିରେ ଭୁବନେଶ୍ୱରର ତହସିଲଦାରଙ୍କୁ ନୋଟିସ କରାଯାଇଥିଲା  ।  ମାମଲାରେ ତହସିଲଦାର ନିଜେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜର ପକ୍ଷ ରଖିଥିଲେ । ସେହିପରି ଆଜି ଦ୍ୱିତୀୟ ପର୍ଯ୍ୟାୟ ଶୁଣାଣିରେ ଇଡକୋ ଅଧିକାରୀ ସାମିଲ ହୋଇପାରନ୍ତି । ଆଜି ଅପରାହ୍ନ ୨ଟାରେ ଭୁବନେଶ୍ୱର ସିଭିଲ କୋର୍ଟରେ ଏହି ମାମଲାର ଶୁଣାଣି ହେବ ।

Leave a Reply