ଚଳିତ ବର୍ଷ ୬ଦିନ ପଡ଼ୁଛି ପଞ୍ଚୁକ, ଜାଣନ୍ତୁ କେମିତି…?

ପୁରୀ: ଆଜିଠୁ ପଞ୍ଚୁକ ବ୍ରତ । ପ୍ରତିବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ୫ଦିନ ପଡିଥାଏ ।  କିନ୍ତୁ ଚଳିତ ବର୍ଷ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ୬ ଦିନ ପଡୁଛି । ଯେଉଁଥିରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ତେବେ ନାଗାର୍ଜୁନ ବେଶ ଛଡ଼ା ଅନ୍ୟ ପାଞ୍ଚଦିନ ମହାପ୍ରଭୁ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦିଅନ୍ତି । ଆଜି ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ବା ଠିଆକିଆ ବେଶ ଅନୁଷ୍ଠିତ ହେବ । ପଞ୍ଚୁକ ବ୍ରତକୁ ଭୀଷ୍ମ ପଞ୍ଚକ ବା ବଗ ପଞ୍ଚକ ବୋଲି କୁହାଯାଏ ।

ପଞ୍ଚୁକ ବ୍ରତର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ଲକ୍ଷ୍ମୀ ନାରାୟଣଙ୍କ ଉପାସନା ହେଉଥିବା ବେଳେ ଲକ୍ଷ୍ମୀ ନାରାୟଣ ବେଶରେ ଝଲସିବେ ମହାପ୍ରଭୁ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦ୍ୱାରଫିଟା, ମଙ୍ଗଳ ଆଳତୀ ବଢି ଅବକାଶ ନୀତି ବଢିବା ପରେ ମହାପ୍ରଭୁଙ୍କ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶରେ ଶୃଙ୍ଗାର କରାଯିବ । ଶ୍ରୀଭୁଜ, ଶ୍ରୀପୟର, ବଳା, ସୁବର୍ଣ୍ଣ କିଆ, ପଦକ ମାଳା, ହରିଡ଼ା ମାଳା ଓ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାର ଦ୍ୱାରା ସୁସଜ୍ଜିତ ହେବେ ଚତୁର୍ଦ୍ଧା ବିଗ୍ରହ । ତେବେ ଆଜିର ଏହି ଦିନକୁ ହରି ଉଥାପନ ଏକାଦଶୀ ବା ବଡ ଏକାଦଶୀ ମଧ୍ୟ କୁହାଯାଏ । 

ଅନ୍ୟପଟେ ପଞ୍ଚୁକରେ ଆଠଗଡ଼ ଧବଳେଶ୍ୱର ମନ୍ଦିରରେ ନାହିଁ ଭକ୍ତଙ୍କ ଭିଡ଼ । କରୋନା ମହାମାରୀ ପାଇଁ ୧୪୪ ଧାରା ଜାରି କରିଛନ୍ତି ପ୍ରଶାସନ । ମନ୍ଦିର ପରିସରରେ ପୁଲିସ ଫୋର୍ସ ମୁତୟନ ହୋଇଛି । ଏପରିକି ସେହି ରାସ୍ତାରେ ଅଟକିବା ପାଇଁ ଲୋକଙ୍କୁ ବାରଣ ମଧ୍ୟ କରାଯାଇଛି । ମନ୍ଦିର ପାଖା ପାଖି ରାସ୍ତାରେ ୧୪୪ ଧାରା ଜାରି ହୋଇଛି ଏବଂ ଦୋକାନ ବଜାର ବନ୍ଦ କରାଯାଇଛି ।

Leave a Reply