ପରୀ ହତ୍ୟା ମାମଲା: ଆତ୍ମହୂତି ଥିଲା ଡ୍ରାମା, ଭାଇରାଲ୍ ହେଲା ଭିଡିଓ

ନୟାଗଡ଼: ପାଞ୍ଚବର୍ଷର ମୃତ ଝିଅକୁ ନ୍ୟାୟ ଦେବାକୁ ସତରେ ଚାହୁଁଥିଲେ କି ପରୀର ବାପାମାଆ? ନା ଏହା ପଛରେ ଥିଲା ଏକ ରାଜନୈତିକ ଷଡ଼ଯନ୍ତ୍ର ।  ଏ ପ୍ରଶ୍ନକୁ ନେଇ ଅନେକ ବିତର୍କ ହୋଇଥିବା ବେଳେ ଆଜି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହା ଆପଣଙ୍କୁ ନିଷ୍କର୍ଷରେ ପହଞ୍ଚାଇବ । କାରଣ ଏହି ଭିଡିଓରେ ପରୀର ବାପାମାଆ କହିଛନ୍ତି ନିଜ ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ସବୁ ସତ ।

ପରୀକୁ ନେଇ ରାଜ୍ୟରେ ରାଜନୀତିର ଝଡ଼ ଚାଲିଥିବା ବେଳେ ପରୀ ବାପା ଓ ମାଙ୍କ ଏକ ଭାଇରାଲ ଭିଡିଓ ପ୍ରଶ୍ନର ପାହାଡ ଛିଡା କରିଛି । ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କରିବା ପରେ ବି ବିଜେପିର ରାଜନୀତି ସରୁନି । ହେଲେ ଏ ଭିଡିଓରେ ନିଜେ ପରୀରର ବାପାମାଆ କହିଛନ୍ତି ସେମାନଙ୍କ ସନ୍ଦେହ ବି ସରୋଜ ଉପରେ ରହିଛି । ଭାଇରାଲ ଭିଡିଓରେ ପରୀର ବାପା କହିଛନ୍ତି ଯେ, ଆରମ୍ଭରୁ ତାଙ୍କର ସରୋଜ ଉପରେ ସନ୍ଦେହ ଥିଲା । ଆଶ୍ଚର୍ଯ୍ୟର କଥା, ଯଦି ସନ୍ଦେହ ଥିଲା, ତେବେ ଏସଆଇଟି ତଦନ୍ତକୁ କାହିଁକି ଅସ୍ବୀକାର କରୁଛନ୍ତି ପରୀର ପରିବାର? ବିଜେପି ଶିବିରରେ ବସି କାହିଁକି ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରୁଥିଲେ ?  ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବାକୁ ବିଧାନସଭା ସମ୍ମୁଖରେ ଆତ୍ମାହୁତିର ଡ୍ରାମା ହୋଇଥିଲା । ପରୀ ବାପା ଓ ମାଙ୍କ ଭାଇରାଲ ଭିଡିଓରୁ ଏମିତି କିଛି ସନ୍ଦେହ ସୃଷ୍ଟି ହୋଇଛି । ଭାଇରଲ୍ ଭିଡିଓରେ ପରୀର ବାପା ଅଶୋକ ସାହୁ, ମାଆ ସୌଦାମିନୀ ଏବଂ ନୟାଗଡର ଶ୍ରୀଧର ପ୍ରଧାନଙ୍କ କଥାବାର୍ତ୍ତା ରହିଛି । ଭିଡିଓରେ ବିଭିନ୍ନ ଗଣମାଧ୍ୟମ ସମ୍ପର୍କରେ କଥାବର୍ତ୍ତା ରହିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଭିଡିଓରେ ବିଧାନସଭା ଆଗରେ ମୃତ ଝିଅକୁ ନ୍ୟାୟ ଦେବା ପାଇଁ ଆତ୍ମାହୁତି ଘଟଣାକୁ ନିଜେ ବାପା ମା ଏକ ଡ୍ରାମା ଥିଲା ବୋଲି ନିଜ ମୁହଁରେ କହିଛନ୍ତି । ଏକଥା କୌଣସି ଚାପରେ ନୁହେଁ, ବରଂ ରେକର୍ଡିଂ ଚାଲିଥିବା ଜାଣି ନପାରି ଷଡ଼ଯନ୍ତ୍ର ପଛର ସବୁ ସତକୁ କହି ଦେଇଛନ୍ତି ।

Leave a Reply