୧୯ ବର୍ଷୀୟ ଛାତ୍ରଙ୍କୁ ମିଳିଲା ୨.୫ କୋଟି ଟଙ୍କାର ସ୍କଲାରସିପ୍

ପାଟଣା: ବିହାରର ୧୯ ବର୍ଷୀୟ ଛାତ୍ର ଋତିକ ରାଜ ବିଶ୍ୱସ୍ତରରେ ଭାରତ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ପାଠପଢ଼ା ପ୍ରତି ତାଙ୍କର ଆଗାଧ ଭଲପାଇବା ଦେଖି ଆମେରିକାର ଏକ ୟୁନିଭର୍ସିଟି ଋତିକଙ୍କୁ ୨.୫ କୋଟି ଟଙ୍କାର ସ୍କଲାରସିପ୍ ଦେବାକୁ ନିଷ୍ପତ୍ତି ନେଇଛି।

ଆମେରିକାର ରାଜଧାନୀ ୱାଶିଂଟନ ଡିସିର ଜର୍ଜଟାଉନ ୟୁନିଭର୍ସିଟି ଋତିକଙ୍କୁ ପ୍ରତିଷ୍ଠିତ ‘ଅରୁପ ସ୍କଲାରଶିପ୍’ ଦେଇଛି। ଋତିକ ପାଟଣାର ରେଡିଏଣ୍ଟ ସ୍କୁଲରେ ଦ୍ୱାଦଶ କକ୍ଷର ଛାତ୍ର। ସେ ପାଟଣା ସହରର ଗୋଲା ରୋଡ଼ରରେ ରୁହନ୍ତି। ଜର୍ଜଟାଉନ ୟୁନିଭରସିଟି ତାଙ୍କର ୪ ବର୍ଷର ସମ୍ପୁର୍ଣ୍ଣ ପାଠ ପଢ଼ା ଖର୍ଚ୍ଚ ଦେବ।  କେବଳ ପାଠପଢ଼ା ନୁହେଁ ଆମେରିକାରେ ତାଙ୍କର ରହିବା ଖାଇବା ଖର୍ଚ୍ଚ ସହ ଟ୍ୟୁସନ୍ ଫି ମଧ୍ୟ ଦେବ।

ସବୁଠୁ ରୋଚକ କଥା ହେଲା ଋତିକ ତାଙ୍କ ପରିବାରର ପ୍ରଥମ ବ୍ୟକ୍ତି ଯିଏ କଲେଜରେ ପାଠ ପଢ଼ିଛନ୍ତି। ଆମେରିକାର ଅନ୍ତର୍ଜାତୀୟ ସମ୍ପର୍କ ଏବଂ ଅନ୍ତର୍ଜାତୀୟ ରାଜନୀତି ଅଧ୍ୟୟନ ପାଇଁ ଜର୍ଜଟାଉନ୍ ବିଶ୍ୱବିଦ୍ୟାଳୟ ଅନ୍ୟତମ ପ୍ରମୁଖ ଅନୁଷ୍ଠାନ। ଅନ୍ତର୍ଜାତୀୟ ସଂଗଠନ ଡେକ୍ସଟେରୀ ଗ୍ଲୋବାଲ୍ ସାହାଯ୍ୟରେ ହ୍ରିତିକ୍ ଏହି ସଫଳତା ହାସଲ କରିଛନ୍ତି। ଡେକ୍ସଟେରୀ ଗ୍ଲୋବାଲ୍ ହେଉଛି ଶିକ୍ଷା ଏବଂ ନେତୃତ୍ୱ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ସଂଗଠନ, ଯାହାକୁ ବିହାରର ସାମାଜିକ ଉଦ୍ୟୋଗୀ ଶରଦ ସାଗର ୨୦୦୮ରେ ପ୍ରତିଷ୍ଠା କରିଥିଲେ। ଏହି ସଂଗଠନ ପ୍ରାୟ ୬୫ ଲକ୍ଷରୁ ଅଧିକ ଛାତ୍ରଙ୍କୁ ଶିକ୍ଷାଗତ ସୁଯୋଗ ସହିତ ଯୋଡ଼ିଥାଏ।

ଋତିକଙ୍କର ଏହି ସଫଳତାରେ ତାଙ୍କ ପରିବାର ବେଶ୍ ଖୁସିଥିବାବେଳେ, ଡେକ୍ସଟେରୀ ଗ୍ଲୋବାଲ୍ର ସଂସ୍ଥାପକ ଶରଦ ଶାଗର ମଧ୍ୟ ନିଜର ଖୁସି ବ୍ୟକ୍ତ କରିବା ସହ ଋତିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

Leave a Reply