୧୪ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ପ୍ରସ୍ତୁତି ତଦାରଖ କରିଛନ୍ତି ପ୍ରଣବ

1 min read

ଭୁବନେଶ୍ୱର: ଦୂର ହେବ ପଶ୍ଚିମ ଓଡ଼ିଶାର ଜଳସେଚନ ସମସ୍ୟା । କାର୍ଯ୍ୟକ୍ଷମ ହେବ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ । ଆସନ୍ତା ୧୪ ତାରିଖରେ ଏହାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୮୦୦ କୋଟି ଟଙ୍କାରେ ନିର୍ମିତ ହୋଇଛି ଇନ୍ଦ୍ରାବତୀ ପ୍ରକଳ୍ପ ।

ଏହି ପ୍ରକଳ୍ପ ଦ୍ୱାରା କଳାହାଣ୍ଡି ଜିଲ୍ଲାର ଧର୍ମଗଡ, କୋକସରା ଓ ଜୟପାଟଣା ବ୍ଲକ୍‌ର ୯୧ଟି ଗାଁର ଲୋକ ଉପକୃତ ହେବେ । ଏହାସହ ଆଉ ହଜାରେ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ ନବୀନ । ଏହି ଅବସରରେ ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେବ । କାଶୀପୁର ୨୨୦-୩୩ କେଭି ଗ୍ରୀଡ୍‌ରୁ ଏକ ବିକଳ୍ପ ୩୩ କେଭି ଫିଡ୍‌ର ଲାଇନ ଥୁଆମୂଳ ରାମପୁରକୁ ସଂଯୋଗ କରିବ । ଏଥିପାଇଁ ଖର୍ଚ୍ଚ ହେବ ୪ କୋଟି ୪୩ ଲକ୍ଷ ଟଙ୍କା ।

ଗୋଲାମୁଣ୍ଡା ବ୍ଲକ୍‌ ବୃନ୍ଦାବାହାଲଠାରେ ୫୨ କୋଟି ଟଙ୍କାରେ ୧୩୨-୩୩ କେଭି ଗ୍ରୀଡ୍‌ ସବ୍‌ଷ୍ଟେସନ, ଦଶପୁରରୁ ମଖଲା ପର୍ଯ୍ୟନ୍ତ ତେଲ୍‌ ନଦୀ କୂଳରେ ୧୧ କେଭିର କୃଷି ଫିଡର ଲାଇନ୍‌ ସମେତ ବହୁ ପ୍ରକଳ୍ପର ଶିଳାନ୍ୟାସ ହେବ। ମୁଖ୍ୟମନ୍ତ୍ରୀ ୨୦୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୧୪ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସେହିପରି ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମଧ୍ୟ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

Leave a Reply