ସେନା ଦିବସରେ ଯବାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

2 min read
Narendra Modi Ramnath Kovind

ନୂଆଦିଲ୍ଲୀ: ସେନା ଦିବସରେ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶର ସେବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀ ଯବାନଙ୍କୁ ଦେଶ ସର୍ବଦା ମନେ ରଖିବ । ସାହସୀ ଏବଂ ଦେଶର ବୀର ସୈନିକଙ୍କ ପ୍ରତି ଦେଶବାସୀ ସର୍ବଦା କୃତଜ୍ଞ ରହିବେ ବୋଲି ଯବାନଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି କହିଛନ୍ତି ।

ସେହିପରି ଯବାନ ଓ ତାଙ୍କ ପରିବାରକୁ ସେନା ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମ ଯବାନମାନେ ଦେଶକୁ ସବୁବେଳେ ଗର୍ବିତ କରିଛନ୍ତି ବୋଲି ଟୁଇଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସେହିଭଳି ସିଡିଏସ ବିପିନ୍ ରାଓ୍ୱତ ମଧ୍ୟ ଯବାନଙ୍କୁ ସେନା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଦେଶ ପ୍ରତି ଯବାନଙ୍କ ବୀରତ୍ୱ ଏବଂ କର୍ତ୍ତବ୍ୟର ବଳିଦାନ ଆମକୁ ନୂତନ ଶକ୍ତି ସହିତ ନିଜକୁ ପୁନଃ ନିର୍ମାଣ କରିବାକୁ ପ୍ରେରଣା ଦିଏ ବୋଲି ରାଓ୍ୱତ ଟୁଇଟ୍ କରି କହିଛନ୍ତି ।

ସେପଟେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତ ସବୁବେଳେ ଶାନ୍ତି ଚାହେଁ । ସାରା ବିଶ୍ୱକୁ ଭାରତ ନିଜର ପରିବାର ଭାବି ସମ୍ମାନ କରେ । ତେବେ ଯେଉଁ ମହାଶକ୍ତି ବି ହେଉନା କାହିଁକି ଯଦି ସେ ଭାରତର ଆତ୍ମ ସମ୍ମାନ ଉପରେ ଆଞ୍ଚ ଆଣେ, ତାକୁ ଉଚିତ୍ ଯବାବ ମିଳିବ । ଶତ୍ରୁ ରାଷ୍ଟ୍ରକୁ ଏଭଳି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ସୀମାରେ ପଡୋଶୀ ଦେଶ ସହ ସ୍ଥିତି ବିଗୁଡୁଥିବା ବେଳେ ରାଜନାଥଙ୍କ ଏଭଳି ବୟାନ ଅନେକ ଗୁରୁତ୍ୱ ବହନ କରୁଛି । ଭାରତ କୌଣସି ରାଷ୍ଟ୍ର ସହ ଶତ୍ରୁତା ଚାହେଁ ନାହିଁ । ଆମେ ସବୁବେଳେ ଶାନ୍ତି ଓ ମିତ୍ରତା ଉପରେ ବିଶ୍ୱସ କରୁ କାରଣ ଏହା ଆମର ପରମ୍ପରା ଅଟେ । ଆମର ବୀର ଯବାନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ସବୁ ସମୟରେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଦେଶର ଯବାନ ପ୍ରସ୍ତୁତ ବୋଲି କହିଛନ୍ତି ରାଜନାଥ ।

ସେପଟେ ବାୟୁସେନାର ଶକ୍ତି ବଢାଇବା ପାଇଁ ନିଷ୍ପତ୍ତି ନେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ୮୩ଟି ତେଜସ୍ ଲଢୁଆ ବିମାନ କିଣିବା ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଦ୍ୱାରା ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ହେବ ଦେଶର ବାୟୁସେନା ବୋଲି କହିଛନ୍ତି ରାଜନାଥ ।

Leave a Reply